ନୂଆଦିଲ୍ଲୀ: ଦକ୍ଷିଣ ଗୋଆର ଜଣେ କାଉନସିଲରଙ୍କ ପୁଅ ନାବାଳିକାକୁ ଯୌନ ନିର୍ଯ୍ୟାତନା ଦେବା ମାମଲାରେ ଗିରଫ ହୋଇଛନ୍ତି । ଖାଲି ସେତିକି ନୁହେଁ କାଉନସିଲରଙ୍କ ପୁଅ ଉପରେ ୨୫ରୁ ୩୦ ଜଣ ନାବାଳିକାଙ୍କୁ ଯୌନ ଶୋଷଣ କରିବାର ଅଭିଯୋଗ ରହିଛି । କାଉନସିଲରଙ୍କ ପୁଅ ସୌହମ ନାଇକଙ୍କୁ ଗିରଫ କରାଯାଇଛି ।
୨୨ ସୋହମ ନାଇକ କୁଡ଼ଚାଡ଼େ ନଗରପାଳିକାର ଜଣେ କାଉନସିଲରଙ୍କ ପୁଅ । ସେ ନାବାଳିକାଙ୍କ ସହିତ ଯୌନ ସମ୍ପର୍କ ସ୍ଥାପନ କରି ତାହାକୁ ଭିଡ଼ିଓ ରେକର୍ଡ କରି ଭାଇରାଲ କରିବାକୁ ଧମକ ଦେଉଥିଲେ । ପ୍ରାୟ ତିନି ବର୍ଷ ଧରି ସୋହମ ଏହି ହୀନ କାର୍ଯ୍ୟ କରି ଆସୁଥିଲା । କିନ୍ତୁ କୌଣସି ବି ପୀଡ଼ିତା ତାଙ୍କ ବିରୁଦ୍ଧରେ ମୁହଁ ଖୋଲୁ ନ ଥିଲେ । ସେଥିପାଇଁ ଏହି ଘଟଣା କେବେ ଲୋକ ଲୋଚନକୁ ଆସିନଥିଲା ।
ସୋହମ ଗତ କିଛି ଦିନ ତଳେ ନିଜ ସାଙ୍ଗମାନଙ୍କ ସହିତ ମଦ ପିଇବା ସମୟରେ ନିଶାଗ୍ରସ୍ତ ଅବସ୍ଥାରେ ପୂର୍ବରୁ ରଖିଥିବା ଭିଡ଼ିଓଗୁଡ଼ିକ ଦେଖାଇଥିଲେ । ଏହା ପରେ ଏହି ମାମଲା ଧିରେ ଧିରେ ସାମ୍ନାକୁ ଆସୁଛି । ଯାହା ପରେ ସାଧାରଣ ଜନତାଙ୍କ ମଧ୍ୟରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । ସ୍ଥାନୀୟ ଲୋକେ ଥାନା ଘେରାଉ କରିବା ସହିତ ଅଭିଯୁକ୍ତର ଗିରଫ ପାଇଁ ଚାପ ପକାଇଥିଲେ । ଫଳରେ ପୋଲିସ ବାଧ୍ୟ ହୋଇ ସୋହମକୁ ରବିବାର ରାତିରେ ଗିରଫ କରିଥିଲା ।