ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଜାରି ଯୁଦ୍ଧ ସମୟରେ ଆସିଛି ବହୁତ ବଡ଼ ଖବର। ଇରାନ ବିରୋଧରେ ଆକ୍ରମଣ ସ୍ଥଗିତ ରଖିଲା ଆମେରିକା। ଶକ୍ତି କେନ୍ଦ୍ର ଉପରେ ୫ ଦିନ ପାଇଁ ସମସ୍ତ ପ୍ରକାରର ଆକ୍ରମଣ ବନ୍ଦ ରଖିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ଗତ ଦୁଇ ଦିନ ଧରି ଫଳପ୍ରଦ ଆଲୋଚନା ହୁଏ ତେବେ ଏହି ଅସ୍ତ୍ରବିରତି ଆଗକୁ ଜାରି ରହିବ। ସେ ଆହୁରି ଏହା କହିଛନ୍ତି ଯେ ସେ ଯୁଦ୍ଧ ବିଭାଗ (ପେଣ୍ଟାଗନ)କୁ ଆଗାମୀ ପାଞ୍ଚ ଦିନ ପାଇଁ ଇରାନରେ ଶକ୍ତି କେନ୍ଦ୍ର ଏବଂ ଶକ୍ତି ପ୍ରତିଷ୍ଠାନ ଉପରେ ଆକ୍ରମଣ କରିବାରୁ ନିବୃତ୍ତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ ଚାଲିଥିବା କହିଛନ୍ତି ଟ୍ରମ୍ପ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲରେ ଏକ ପୋଷ୍ଟ ସେୟାର କରିଛନ୍ତି। ପୋଷ୍ଟରେ ସେ କହିଛନ୍ତି, ମୁଁ ଘୋଷଣା କରି ଖୁସି ଅନୁଭବ କରୁଛି ଯେ ଆମେରିକା ଏବଂ ଇରାନ ଗତ ଦୁଇ ଦିନରେ ଶତ୍ରୁତା ସମାପ୍ତ କରିବା ଏବଂ ମଧ୍ୟପ୍ରାଚ୍ୟରେ ସମ୍ପୂର୍ଣ୍ଣ ଶାନ୍ତି ସ୍ଥାପନ ପାଇଁ ସକରାତ୍ମକ ଏବଂ ଅର୍ଥପୂର୍ଣ୍ଣ ଆଲୋଚନା ହୋଇଛି। ଏହି ସପ୍ତାହ ସାରା ଗଠନମୂଳକ ଆଲୋଚନା ଜାରି ରହିବ। ଏହାକୁ ଦୃଷ୍ଟିରେ ରଖି, ମୁଁ ଯୁଦ୍ଧ ବିଭାଗ (ପେଣ୍ଟାଗନ)କୁ ଆଗାମୀ ପାଞ୍ଚ ଦିନ ପାଇଁ ଇରାନ ଶକ୍ତି କେନ୍ଦ୍ର ଏବଂ ଶକ୍ତି ପ୍ରତିଷ୍ଠାନ ଉପରେ ଆକ୍ରମଣ କରିବାରୁ ନିବୃତ୍ତ ରହିବାକୁ ନିର୍ଦ୍ଦେଶ ଦେଇଛି।
ରାଷ୍ଟ୍ରପତି ଟ୍ରମ୍ପ ଜୋର ଦେଇ କହିଛନ୍ତି, ଏହି ନିଷ୍ପତ୍ତି ଚାଲିଥିବା ବୈଠକ ଏବଂ ଆଲୋଚନାର ସଫଳତା ଉପରେ ନିର୍ଭର କରିବ। ଯଦି ଆଲୋଚନା ଫଳପ୍ରଦ ହୁଏ ତେବେ ଯୁଦ୍ଧ ବନ୍ଦ ହେବାର ସମ୍ଭାବନା ରହିବ।
୪୮ ଘଣ୍ଟାର ଅଲଟିମେଟମ୍ ଦେଇଥିଲେ ଟ୍ରମ୍ପ
ଏହା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ୪୮ ଘଣ୍ଟାର ଚରମବାଣୀ ଦେଇଥିଲେ। ଯଦି ଇରାନ ଆସନ୍ତା ଦୁଇ ଦିନ ମଧ୍ୟରେ କୌଣସି ସର୍ତ୍ତ କିମ୍ବା ଧମକ ବିନା ହର୍ମୁଜ ପ୍ରଣାଳୀକୁ ସମ୍ପୂର୍ଣ୍ଣ ଭାବରେ ଖୋଲି ନଦିଏ, ତେବେ ଆମେରିକା ଇରାନର ବିଦ୍ୟୁତ୍ କେନ୍ଦ୍ରଗୁଡ଼ିକ ଉପରେ ବଡ଼ ଆକ୍ରମଣ କରିବ ଏବଂ ସବୁ ସମ୍ପୂର୍ଣ୍ଣ ରୂପେ ଧ୍ଵଂସ କରାଯିବ।
ଆମେରିକାର ରାଷ୍ଟ୍ରପତିଙ୍କ ଧମକ ପରେ, ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନ ରବିବାର ବଡ଼ ବୟାନ ଦେଇଥିଲେ। ସେ କହିଥିଲେ ଯେ ଇରାନ ଏପରି ଭିତ୍ତିହୀନ ଧମକରେ ଭୟଭୀତ ନୁହେଁ। ବିଶ୍ଵ ମାନଚିତ୍ରରୁ ଇରାନକୁ ଲିଭାଇ ଦେବାର ଭ୍ରମ ଟ୍ରମ୍ପଙ୍କ ହତାଶାକୁ ପ୍ରତିଫଳିତ କରୁଛି।