ନୂଆଦିଲ୍ଲୀ: ଶାଶୁ ଓ ଶ୍ୱଶୁରଙ୍କୁ ଭରଣପୋଷଣ ଦେବାକୁ ବୋହୂ ବାଧ୍ୟ ନୁହଁନ୍ତି । ନୈତିକ ଦାୟିତ୍ୱ ଯେତେ ଦୃଢ଼ ହେଉ, କିନ୍ତୁ ବିନା ବୈଧାନିକ ନିର୍ଦ୍ଦେଶନାମାରେ ଏହାକୁ ଆଇନଗତ ଦାୟିତ୍ୱ ଭାବରେ କାର୍ଯ୍ୟକାରୀ କରାଯାଇପାରିବ ନାହିଁ । ଆହ୍ଲାବାଦ ହାଇକୋର୍ଟ ଏକ ମାମଲାର ଶୁଣାଣି କରି ବୋହୂଠାରୁ ଭରଣ ପୋଷଣ ପାଇଁ ଆବେଦନ କରିଥିବା ଶାଶୁ ଏବଂ ଶ୍ୱଶୁରଙ୍କ ଆବେଦନକୁ ଖାରଜ କରିଛନ୍ତି । ତତସହିତ ଆଗ୍ରା କୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି ।
ବିଚାରପତି ମଦନ ପାଲ ସିଂହଙ୍କୁ ନେଇ ଗଠିତ ଏକକ ଖଣ୍ଡପୀଠ ଜଣେ ଶ୍ୱଶୁର ଏବଂ ଶାଶୁଙ୍କ ଦ୍ୱାରା ସେମାନଙ୍କର ବୋହୂଙ୍କଠାରୁ ଭରଣପୋଷଣ ପାଇଁ ଦାୟର କରାଯାଇଥିବା ଏକ ଫୌଜଦାରୀ ସଂଶୋଧନ ଆବେଦନକୁ ଖାରଜ କରିଛନ୍ତି । କୋର୍ଟ କହିଛନ୍ତି ଯେ ଜଣେ ବୋହୂ ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା ୧୨୫ ଅନୁଯାୟୀ ତାଙ୍କ ଶ୍ୱଶୁରଙ୍କୁ ଭରଣପୋଷଣ ଭତ୍ତା ପ୍ରଦାନ କରିବାକୁ ଆଇନଗତ ଭାବରେ ବାଧ୍ୟ ନୁହଁନ୍ତି । ପ୍ରତିପକ୍ଷ (ବୋହୂ) ତାଙ୍କ ବିବେକ ଅନୁସାରେ ଉକ୍ତ ବ୍ୟବସ୍ଥାର ପରିସର ମଧ୍ୟରେ ପିତାମାତାଙ୍କୁ ଅନ୍ତର୍ଭୁକ୍ତ କରି ନାହାଁନ୍ତି ।
ଆବେଦନକାରୀ ରାକେଶ କୁମାରଙ୍କ ପୁଅ ପ୍ରବେଶ କୁମାରଙ୍କ ବିବାହ ୨୬ ଏପ୍ରିଲ୍ ୨୦୧୬ରେ ଉତ୍ତର ପ୍ରଦେଶ ପୋଲିସରେ ଜଣେ ମହିଳା କନଷ୍ଟେବଳଙ୍କ ସହିତ କରାଇଥିଲେ । ମାର୍ଚ୍ଚ ୩୧, ୨୦୨୧ରେ ପୁଅ ପ୍ରବେଶ କୁମାରଙ୍କ ମୃତ୍ୟୁ ହୋଇଥିଲା। ପରବର୍ତ୍ତୀ ସମୟରେ ପ୍ରବେଶଙ୍କ ପାଇଁ ଆସୁଥିବା ସମସ୍ତ ସୁବିଧା ତାଙ୍କ ସ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା। ଯାହାକୁ ନେଇ ରାକେଶ କୁମାର କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସେ ବୋହୂଠାରୁ ଭରଣ ପୋଷଣ ପାଇଁ ଦାବି କରିଥିଲେ ।
ଆହ୍ଲବାଦା ହାଇକୋର୍ଟ କହିଛନ୍ତି ଯେ ବିଏନ୍ଏସ୍ଏସ୍ ଧାରା ୧୨୫ ଅନୁଯାୟୀ ଅନୁଯାୟୀ ଭରଣପୋଷଣ ଦାବି କରିବାର ଅଧିକାର ଏକ ବୈଧାନିକ ଅଧିକାର । ଯେଉଁମାନଙ୍କ ପାଇଁ ସ୍ପଷ୍ଟ ଭାବରେ ଉଲ୍ଲେଖ ରହିଛି ସେହିମାନଙ୍କ ପାଇଁ ଏହି ନିୟମ ପ୍ରଯୁଜ୍ୟ । ଏହି ମାମଲାରେ, ଏପରି କିଛି ରେକର୍ଡରେ ନାହିଁ ଯାହା ଦର୍ଶାଏ ଯେ ବୋହୂଙ୍କ ଚାକିରି ଅନୁକମ୍ପା ଭିତ୍ତିରେ ଥିଲା। ସେହିପରି ସଂକ୍ଷିପ୍ତ ଭରଣପୋଷଣ ପ୍ରକ୍ରିୟା ମଧ୍ୟ ଏହାର ବାହାରେ ରହିଛି । ଏହି ଆଇନଗତ ସ୍ଥିତିକୁ ଦୃଷ୍ଟିରେ ରଖି, ଅଗଷ୍ଟ ୨୧, ୨୦୨୫ ରେ ଆଗ୍ରାର ପରିବାର ଅଦାଲତର ପ୍ରମୁଖ ବିଚାରପତିଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଆଦେଶକୁ ଉପରକୋର୍ଟ କାଏମ ରଖିଛନ୍ତି ।