ନୂଆଦିଲ୍ଲୀ: ଫେବୃଆରୀ ୨୮ରେ ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧକୁ ମାସେ ପୂରିଛି। ଯୁଦ୍ଧ ଯୋଗୁଁ ଉପସାଗରୀୟ ଦେଶଗୁଡ଼ିକରେ ଉତ୍ତେଜନା ବୃଦ୍ଧି ପାଉଛି। ଏହି ସଂଘର୍ଷ ଆରମ୍ଭ ହେବାର ଏକ ମାସ ବିତିଗଲାଣି, କିନ୍ତୁ ଏପର୍ଯ୍ୟନ୍ତ ଏହା କମିବାର କୌଣସି ସଙ୍କେତ ନାହିଁ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ସାଉଦି ଆରବର ଯୁବରାଜ ମହମ୍ମଦ ବିନ୍ ସଲମାନଙ୍କ ସହ କଥା ହୋଇଛନ୍ତି। ଦୁଇ ନେତା ମଧ୍ୟପ୍ରାଚ୍ୟର ବର୍ତ୍ତମାନର ପରିସ୍ଥିତି ଉପରେ ଆଲୋଚନା କରିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ ମିଡିଆରେ ଏହାର ସୂଚନା ଦେଇଛନ୍ତି। କଥାବାର୍ତ୍ତା ସମୟରେ ମୋଦୀ ଶକ୍ତି ଏବଂ ବେସାମରିକ ଭିତ୍ତିଭୂମି ଉପରେ ଆକ୍ରମଣକୁ ନିନ୍ଦା କରିଛନ୍ତି। ପୋଷ୍ଟରେ ସେ କହିଛନ୍ତି ସାଉଦି ପ୍ରିନ୍ସଙ୍କ ସହ ଆଲୋଚନା ସମୟରେ ସେ ପଶ୍ଚିମ ଏସିଆ କ୍ଷେତ୍ରରେ ଶକ୍ତି ଭିତ୍ତିଭୂମି ଉପରେ ଆକ୍ରମଣକୁ ଭାରତର ନିନ୍ଦାକୁ ଦୋହରାଇଛନ୍ତି।
ସେ ଏହା ମଧ୍ୟ କହିଛନ୍ତି, ଦୁଇ ନେତା ସହମତ ହୋଇଛୁ ଯେ ଜାହାଜ ଚଳାଚଳ ସୁନିଶ୍ଚିତ କରିବା ଏବଂ ସିପିଂ ଲାଇନ ସୁରକ୍ଷିତ ରଖିବା ଅତ୍ୟନ୍ତ ଜରୁରୀ। ସାଉଦି ଆରବରେ ଭାରତୀୟ ସମ୍ପ୍ରଦାୟର କଲ୍ୟାଣ ପାଇଁ ତାଙ୍କର ନିରନ୍ତର ସମର୍ଥନ ପାଇଁ ମୁଁ ତାଙ୍କୁ ଧନ୍ୟବାଦ ଜଣାଉଛି।
ପଶ୍ଚିମ ଏସିଆରେ ଉତ୍ତେଜନା ଚରମରେ
ପଶ୍ଚିମ ଏସିଆରେ ଉତ୍ତେଜନା ଚରମରେ ପହଞ୍ଚିଛି। ଏହା ଶକ୍ତି ସୁରକ୍ଷା ଏବଂ ବିଶ୍ୱ ଅର୍ଥନୀତିକୁ ପ୍ରଭାବିତ କରୁଛି। ଏହି ପରିପ୍ରେକ୍ଷୀରେ ଦୁଇ ନେତାଙ୍କ ମଧ୍ୟରେ ଏହି ଆଲୋଚନାକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ପୂର୍ବରୁ, ପ୍ରଧାନମନ୍ତ୍ରୀ ମୋଦୀ ପଶ୍ଚିମ ଏସିଆ ସଙ୍କଟ ସମ୍ପର୍କରେ ଅନେକ ବିଶ୍ୱ ନେତାଙ୍କ ସହ କଥା ହୋଇଛନ୍ତି।
ଏହା ପୂର୍ବରୁ ମାର୍ଚ୍ଚ ୨୪ରେ ପ୍ରଧାନମନ୍ତ୍ରୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ କଥା ହୋଇଥିଲେ। ଦୁଇ ନେତା ପଶ୍ଚିମ ଏସିଆର ବର୍ତ୍ତମାନର ପରିସ୍ଥିତି ବିଷୟରେ ଆଲୋଚନା କରିଥିଲେ। ସେ କହିଥିଲେ ଯେ ଭାରତ ଉତ୍ତେଜନା ହ୍ରାସ ଏବଂ ଯଥାଶୀଘ୍ର ଶାନ୍ତି ପୁନଃସ୍ଥାପନକୁ ସମର୍ଥନ କରେ।