ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (୨୮ ମାର୍ଚ୍ଚ) ନୋଏଡା ଆନ୍ତର୍ଜାତୀୟ ବିମାନବନ୍ଦରର ଉଦ୍ଘାଟନ କରିଛନ୍ତି। ଏହି ବିମାନବନ୍ଦର ଉତ୍ତର ପ୍ରଦେଶର ଗୌତମବୁଦ୍ଧ ନଗର ଜିଲ୍ଲାର ଜେୱର ତହସିଲର ଏକ ଅଂଶ। ଏହି କାରଣରୁ ଏହାକୁ ଜେୱର ଏୟାରପୋର୍ଟ ବୋଲି ମଧ୍ୟ କୁହାଯାଏ। ଏବେ ପ୍ରଶ୍ନ ଉଠୁଛି ଯେ 'ଜେୱର' ନାମଟି ଆସିଲା କୁଆଡ଼ୁ? ଏହାର ପ୍ରକୃତ କାହାଣୀ କ’ଣ? ରାମାୟଣ କିମ୍ବା ମହାଭାରତ କାଳ ସହିତ ଏହାର କୌଣସି ସମ୍ପର୍କ ଅଛି କି?
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଉଦ୍ଘାଟିତ ଏହି ବିମାନବନ୍ଦର ଉତ୍ତର ପ୍ରଦେଶର ସବୁଠାରୁ ବଡ଼ ଏୟାରପୋର୍ଟ ହେବ। ମେ-ଜୁନ୍ ସୁଦ୍ଧା ଏଠାରୁ ଘରୋଇ ଉଡ଼ାଣ ଏବଂ ତା’ର କିଛି ମାସ ପରେ ଆନ୍ତର୍ଜାତୀୟ ଉଡ଼ାଣ ଆରମ୍ଭ ହେବାର ସମ୍ଭାବନା ରହିଛି।
ଜେୱର: ଗୌତମବୁଦ୍ଧ ନଗରର ଏକ ଛୋଟ ସହର
ଜେୱର ପୂର୍ବରୁ ବୁଲନ୍ଦସହର ଜିଲ୍ଲାର ଅଂଶ ଥିଲା। ୧୯୯୭ରେ ଯେତେବେଳେ ଗୌତମବୁଦ୍ଧ ନଗର ଜିଲ୍ଲା ଗଠନ ହେଲା, ସେତେବେଳେ ଜେୱର ଏହାର ଅଂଶ ହେଲା। ହିନ୍ଦୀରେ 'ଜେୱର'ର ସରଳ ଅର୍ଥ ହେଉଛି ଗହଣା ବା ଅଳଙ୍କାର। ଲୋକକଥା ଅନୁସାରେ, ହୁଏତ କୌଣସି ସମୟରେ ଏଠାରେ ଗହଣା ବ୍ୟବସାୟ ପ୍ରସିଦ୍ଧ ଥିଲା, ତେଣୁ ଏହାର ନାମ ଜେୱର ହୋଇଥାଇପାରେ। କିନ୍ତୁ ଏହାର କୌଣସି ପରିଷ୍କାର ଲିଖିତ ପ୍ରମାଣ ନାହିଁ।
ପ୍ରଭୁ ରାମ ଏବଂ ରାବଣଙ୍କ ସହ ସମ୍ପର୍କ
ଯଦିଓ ରାମାୟଣ କିମ୍ବା ପୁରାଣରେ 'ଜେୱର' ନାମର ସ୍ପଷ୍ଟ ଉଲ୍ଲେଖ ମିଳେନାହିଁ, କିନ୍ତୁ ଏହି ସମ୍ପୂର୍ଣ୍ଣ ଅଞ୍ଚଳ ତ୍ରେତୟା ଯୁଗ ସହିତ ଜଡ଼ିତ ବୋଲି କୁହାଯାଏ।
• ବିସରଖ (Bisrakh): ଜିଲ୍ଲା ପ୍ରଶାସନର ୱେବସାଇଟ୍ ଅନୁସାରେ, ବସରଖ ଗ୍ରାମକୁ ରାବଣର ପିତା ବିଶ୍ରବା ମୁନିଙ୍କ ଜନ୍ମଭୂମି ବୋଲି ମାନାଯାଏ। ଏହା ସ୍ପଷ୍ଟ କରେ ଯେ ଏହି ଅଞ୍ଚଳର ଇତିହାସ ରାମାୟଣ କାଳରୁ ରହିଛି।
• ମହର୍ଷି ଜାବାଳି: କିଛି ତଥ୍ୟ ଅନୁସାରେ, ଜେୱରର ନାମ ମହର୍ଷି ଜାବାଳିଙ୍କ ନାମରୁ ଆସିଛି, ଯିଏ ଅଯୋଧ୍ୟା ରାଜଦରବାରରେ ରାଜା ଦଶରଥଙ୍କ ମନ୍ତ୍ରୀ ଥିଲେ।
ମହାଭାରତ କାଳ ସହ ସମ୍ପର୍କ
ଦ୍ୱାପର ଯୁଗ ବା ମହାଭାରତ କାଳ ସହିତ ମଧ୍ୟ ଏହି ଅଞ୍ଚଳର ଗଭୀର ସମ୍ପର୍କ ଅଛି।
• ଦଙ୍କୌର (Dankaur): ମାନ୍ୟତା ଅଛି ଯେ ଦଙ୍କୌରରେ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ଆଶ୍ରମ ଥିଲା। ଏଠାରେ ପାଣ୍ଡବ ଏବଂ କୌରବମାନେ ଅସ୍ତ୍ରଶସ୍ତ୍ର ଶିକ୍ଷା ଗ୍ରହଣ କରିଥିଲେ।
• ଏକଲବ୍ୟ: ଗୁରୁ ଦ୍ରୋଣଙ୍କ ପ୍ରସିଦ୍ଧ ଶିଷ୍ୟ ଏକଲବ୍ୟ ମଧ୍ୟ ଏହି ଅଞ୍ଚଳର ବୋଲି କୁହାଯାଏ।
ଏହିପରି ଭାବେ ଜେୱରର ଇତିହାସ ଯେତେ ପୁରୁଣା ହେଉ ନା କାହିଁକି, ଏହି ମାଟିର ସମ୍ପର୍କ ତ୍ରେତୟା ଏବଂ ଦ୍ୱାପର ଯୁଗ ସହିତ ରହିଛି। ଏବେ ଏହି ବିମାନବନ୍ଦର ନିର୍ମାଣ ହେବା ପରେ ଏହା ବିକାଶର ଏକ ନୂଆ ପ୍ରତୀକ ଭାବେ ଉଭା ହୋଇଛି ଏବଂ ସାରା ରାଜ୍ୟ ପାଇଁ ଏକ ଗ୍ରୋଥ୍ ଇଞ୍ଜିନ୍ ସାଜିବ।