ନୂଆଦିଲ୍ଲୀ: ଇରାନ ଓ ଆମେରିକା ମଧ୍ୟରେ ଜାରି ସାମରିକ ସଂଘର୍ଷ ମଧ୍ୟରେ ଇନ୍ଧନ ସଙ୍କଟ ନେଇ ଚିନ୍ତିତ ଭାରତ । ଏହା ମଧ୍ୟରେ ବି ଆସିଛି ଆଶ୍ୱସ୍ତିକର ଖବର । ଭାରତ ପାଇଁ ପେଟ୍ରୋଲିୟମ ଉତ୍ପାଦ ନେଇ ଆସୁଛି ଆଉ ଦୁଇଟି ଜାହାଜ । ଦୁଇ ଜାହାଜ ହର୍ମୁଜ ପ୍ରଣାଳୀ ଅତିକ୍ରମ କରୁଛନ୍ତି ଏବଂ ଉଭୟରେ ତ୍ରିରଙ୍ଗା ପତାକା ଲାଗିଛି । ଏହି ଜାହାଜର ସୁରକ୍ଷା ପାଇଁ ଭାରତୀୟ ନୌସେନାର ଯୁଦ୍ଧପୋତକୁ ଆଲର୍ଟରେ ରଖାଯାଇଛି । ଏହା ପୂର୍ବରୁ ଅନେକ ଜାହାଜ ଉକ୍ତ ମାର୍ଗ ଅତିକ୍ରମ କରି ଭାରତ ପହଞ୍ଚି ସାରିଛି ।
ନିକଟରେ ଇରାନର ବୈଦେଶିକ ମନ୍ତ୍ରୀ ଅବାସ ଅରାଘଚି କହିଥିଲେ, ତାଙ୍କ ଦେଶ ଭାରତ, ପାକିସ୍ତାନ, ରୁଷ ସମେତ ମିତ୍ର ରାଷ୍ଟ୍ରର ଜାହାଜଗୁଡିକୁ ହର୍ମୁଜ ମାର୍ଗରେ ଅତିକ୍ରମ ପାଇଁ ଅନୁମତି ଦେଇଛି । ମୁମ୍ବାଇ ସ୍ଥିତ ଇରାନ ଦୂତାବାସର ପୋଷ୍ଟରେ ଅରାଘଚୀ କହିଛନ୍ତି ଯେ, ଭାରତ, ଚୀନ, ରୁଷ, ଇରାକ ଓ ପାକିସ୍ତାନକୁ ସେହି ଦେଶ ତାଲିକାରେ ସାମିଲ୍ କରାଯାଇଛି, ଯାହାଙ୍କ ଜାହାଜକୁ ହର୍ମୁଜ ପ୍ରଣାଳୀରେ ଯାତାୟତ କରିବା ପାଇଁ ଅନୁମତି ଦିଆଯାଇଛି । ଏସବୁ ଦେଶକୁ ଇରାନ ମିତ୍ର ରାଷ୍ଟ୍ର ଭାବେ ସମ୍ବୋଧିତ କରିଛି ।
ହର୍ମୁଜ ଜଳଡମରୁମଧ୍ୟ ବୈଶ୍ୱିକ ଉର୍ଜା ବ୍ୟାପର ପାଇଁ ଏକ ପ୍ରମୁଖ ମାର୍ଗ । ଏହା ଦୁନିଆର ମୋଟ୍ ତେଲ ଓ ଗ୍ୟାସର ପ୍ରାୟ ପାଞ୍ଚ ଭାଗ ନିୟନ୍ତ୍ରିତ କରିଥାଏ । ଇରାନର ନାକାବନ୍ଦୀ ବୈଶ୍ୱିକ ସମୁଦ୍ର କାରବାରକୁ ଗମ୍ଭୀର ଭାବେ ପ୍ରଭାବିତ କରିଛି । ଫଳରେ ସମଗ୍ର ଦେଶରେ ଉର୍ଜା ସଙ୍କଟ ଦେଖା ଦେଇଛି ଏବଂ ମୂଲ୍ୟ ବୃଦ୍ଧି ମଧ୍ୟ ଘଟିଛି ।