ପୁରୀ: ସେନା ମୁଖ୍ୟ ଉପେନ୍ଦ୍ର ଦ୍ୱିବେଦୀ ମାର୍ଚ୍ଚ ୨୭ ରୁ ୨୯ ପର୍ଯ୍ୟନ୍ତ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ଶନିବାର ସକାଳୁ ସେ ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି। ସକାଳ ୭ଟାରେ ସିଂହଦ୍ବାରରେ ପହଞ୍ଚିବା ପରେ ସେବାୟତ ଓ ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ବାଗତ କରାଯାଇଥିଲା। ମହାପ୍ରଭୁଙ୍କ ପତାକା ଦିଆଯାଇଥିଲା। ଏହାପରେ କୌଳିକ ପଣ୍ଡା ଉଭୟଙ୍କୁ ନେଇ ଦର୍ଶନ କରାଇଥିଲେ। ଅରୁଣ ସ୍ତମ୍ଭ ଓ ପତିତପାବନଙ୍କୁ ମୁଣ୍ଡିଆ ମାରି ବାଇଶି ପାହାଚ ଦେଇ ଭିତରକୁ ପ୍ରବେଶ କରିଥିଲେ। ପ୍ରାୟ ୪୫ ମିନିଟ ଧରି ମହାପ୍ରଭୁଙ୍କ ସାନିଧ୍ୟ ନେଇଥିଲେ। ଦର୍ଶନ ପରେ ମୁକ୍ତି ମଣ୍ଡପ, ରୋଷ ଘର ବୁଲି ଦେଖିଲେ ସ୍ଥଳସେନା ମୁଖ୍ୟ।
ଗତକାଲି ମାର୍ଚ୍ଚ ୨୭ ରେ ସେନା ମୁଖ୍ୟ ଦ୍ୱିବେଦୀ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ ଏବଂ ୧୨୦ ପଦାତିକ ବାଟାଲିୟନ (ପାର୍ଟିଟୋରିଆଲ୍ ଆର୍ମି) କୁ ସିଧା ଯାଇଥିଲେ, ଯେଉଁଠାରେ ସେ ରାତ୍ରୀଯାପନ କରିଥିଲେ। ଏହା ସହ ସେ ରାଜ୍ୟପାଳ କମ୍ଭମ ପତିଙ୍କୁ ଭେଟିଥିଲେ। ଏହାପରେ ଆଜି ସେ ଅର୍ଥାତ୍ ମାର୍ଚ୍ଚ ୨୮ ରେ ସେନା ମୁଖ୍ୟ ସକାଳେ ପୁରୀ ଯାତ୍ରା କରିଛନ୍ତି ଏବଂ ସେଠାରେ ସେ ସୈନିକ ସଦନରେ ରହିବେ।
ଏହାପରେ, ସେ ତାଳବଣିଆ ହେଲିପ୍ୟାଡ୍ ଦେଇ ଗୋପାଳପୁରର ସାମରିକ ଷ୍ଟେସନକୁ ଯିବେ। ଗୋପାଳପୁରରେ, ସେନା ମୁଖ୍ୟ ତାଲିମ ଭିତ୍ତିଭୂମି ସମୀକ୍ଷା କରିବେ, କାର୍ଯ୍ୟକ୍ଷମ ସୂଚନା ଗ୍ରହଣ କରିବେ ଏବଂ ଆର୍ମି ଏୟାର ଡିଫେନ୍ସ କଲେଜରେ ଅଧିକାରୀ ଏବଂ ପୂର୍ବତନ ସୈନିକଙ୍କ ସହିତ ଭାବ ବିନିମୟ କରିବେ। ତାଙ୍କର କାର୍ଯ୍ୟକ୍ରମରେ ସେନା କର୍ମଚାରୀଙ୍କ ସହିତ ସରକାରୀ କାର୍ଯ୍ୟ ସହିତ ଏକ କ୍ଷେତ୍ର ଫାୟାରିଂ ରେଞ୍ଜରେ ଲାଇଭ୍ ଫାୟାରିଂ ଏବଂ ଉପକରଣ ପ୍ରଦର୍ଶନ ଦେଖିବା ମଧ୍ୟ ଅନ୍ତର୍ଭୁକ୍ତ।