ଭୁବନେଶ୍ୱର: ନୂଆ ପ୍ୟାକେଟରେ ବଜାରକୁ ଆସିଲା ଓମଫେଡ ପ୍ରିମିୟମ ମିଲ୍କ। OMFED ପକ୍ଷରୁ ଜନଗଣନା ସଚେତନତା ପାଇଁ ନୂଆ ପ୍ରିମିୟମ୍ କ୍ଷୀର ପ୍ୟାକେଟ୍ ଲଞ୍ଚ କରାଯାଇଛି। ଏହି ନୂଆ ପ୍ୟାକେଟ୍ରେ ଜନଗଣନାର ଲୋଗୋ ସହ ସଚେତନତାମୂଳକ ସନ୍ଦେଶ ଦିଆଯାଇଛି, ଯାହା ଲୋକଙ୍କୁ ଜନଗଣନାରେ ସହଭାଗୀ ହେବାକୁ ପ୍ରେରିତ କରିବ।
ଓଡିଶାରେ ଜାରି ରହିଥିବା ଡିଜିଟାଲ ଜନଗଣନାରେ ସ୍ବ-ଗଣନା ଏବଂ ପ୍ରଥମ ପର୍ଯ୍ୟାୟ ଗୃହ ତାଲିକା ଓ ଗୃହ ଗଣନା କାର୍ଯ୍ୟକ୍ରମରେ ଆଜିଠାରୁ ଆନୁଷ୍ଠାନିକ ଭାବେ ସାମିଲ ହୋଇଛି ଓମଫେଡ। ସେଥିପାଇଁ କମ୍ପାନୀ ତାର ପ୍ରିମିୟମ କ୍ଷୀର ପ୍ୟାକେଟର ପ୍ରିଣ୍ଟିଂ ସଂପୂର୍ଣ୍ଣ ଭାବେ ପରିବର୍ତ୍ତନ କରିଛି।
କେବଳ ପ୍ୟାକେଟ୍ ନୁହେଁ, ସଚେତନତା ପାଇଁ ବଡ଼ ପ୍ଲାନ୍:
OMFED ରାଜ୍ୟର ପ୍ରାୟ ୪,୦୦୦ ଆଉଟଲେଟ୍ରେ ପୋଷ୍ଟର ଲଗାଇ ଜନଗଣନା ବିଷୟରେ ସୂଚନା ପ୍ରଚାର କରିବାକୁ ଯୋଜନା କରିଛି। ପ୍ରତିଦିନ ବ୍ୟବହୃତ କ୍ଷୀର ପ୍ୟାକେଟ୍ ମାଧ୍ୟମରେ ଏହା ଲୋକଙ୍କ ଭିତରେ ସଚେତନତା ବଢ଼ାଇବା ଦିଗରେ ଏକ ନୂତନ ଓ ସୃଜନଶୀଳ ପ୍ରୟାସ ବୋଲି ମନାଯାଉଛି।
ଆଜି ଭୁବନେଶ୍ୱରସ୍ଥିତ ମୁଖ୍ୟାଳୟରେ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟବ୍ୟାପୀ ସଚେତନତା ବୃଦ୍ଧି କରିବା ପାଇଁ ୪ ହଜାର ଓମଫେଡ୍ ବୁଥରେ ପ୍ରଦର୍ଶନ ପାଇଁ ପୋଷ୍ଟର ମଧ୍ୟ ଉନ୍ମୋଚନ କରାଯାଇଥିଲା। ଏହି ଅବସରରେ ଜନଗଣନା ନିର୍ଦ୍ଦେଶକ ନିଖିଲ ପୱନ କଲ୍ୟାଣ, ଯୁଗ୍ମ ନିର୍ଦ୍ଦେଶକ ହେମନ୍ତ କୁମାର ସିଂହ, ହାରାଧନ କର୍ମୀ, ଡକ୍ଟର ଅଭୟ ନାରାୟଣ ନାୟକ, ସହକାରୀ ନିର୍ଦେଶକ ଲକ୍ଷ୍ମଣ ମୁଖ୍ୟଙ୍କ ସହ ଡେପୁଟି ମ୍ୟାନେଜର ଡକ୍ଟର ବିଶ୍ବରଞ୍ଜନ ତ୍ରିପାଠୀ, ଡେପୁଟି ମ୍ୟାନେଜର ତାପସ ରଂଜନ ମିଶ୍ର ଓ ବହୁ କର୍ମଚାରୀ ଉପସ୍ଥିତ ଥିଲେ।