ଅନୁଗୁଳ: ଓଡିଶାର ଶିଳ୍ପନଗରୀ ଅନୁଗୁଳ ଓ ତାଳଚେରରେ ଦିନକୁ ଦିନ ବାୟୁ ପ୍ରଦୂଷଣର ମାତ୍ରା ବଢ଼ିବାରେ ଲାଗିଛି। ଆଇକ୍ୟୁଏୟାର ପକ୍ଷରୁ ୨୦୨୫ ପାଇଁ ପ୍ରକାଶିତ ପ୍ରଦୂଷିତ ସହର ତାଲିକାରେ ଏହି ଦୁଇ ସହର ଶୀର୍ଷ ସ୍ଥାନରେ ରହିଛି, ଯାହା ଚିନ୍ତା ବୃଦ୍ଧିର କାରଣ ପାଲଟିଛି।
ଡିସେମ୍ବର ମାସରେ ଏକ୍ୟୁଆଇ ୩୪୬କୁ ଛୁଇଁଥିବା ବେଳେ, ଜାନୁଆରୀରେ ସ୍ଥିତି ଆଉ ଅଧିକ ଗମ୍ଭୀର ହୋଇଥିଲା। ମାସର ଅଧା ଦିନ ଧରି ଏକ୍ୟୁଆଇ ୩୦୦ ଉପରେ ରହିଥିଲା। ବିଶେଷ କରି ତାଳଚେରରେ ଜାନୁଆରୀ ୨ ତାରିଖରେ ଏକ୍ୟୁଆଇ ୩୮୦କୁ ପହଞ୍ଚିବା ଘଟଣା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିଥିଲା।
ଦେଶର ପ୍ରଦୂଷିତ ସହର ତାଲିକାରେ ତାଳଚେର ୧୫ ତମ ସ୍ଥାନରେ ରହିଥିଲା ବେଳେ ଅନୁଗୁଳ ୨୭ତମ ସ୍ଥାନରେ ରହିଛି। ପିଏମ୍ ୨.୫ ମାତ୍ରା ଆଧାରରେ ହୋଇଥିବା ଏହି ରିପୋର୍ଟ ଅନୁସାରେ, ଲୋନି ଦେଶର ସର୍ବାଧିକ ପ୍ରଦୂଷିତ ସହର ହୋଇଥିଲା ବେଳେ ଦିଲ୍ଲୀ ତୃତୀୟ ସ୍ଥାନରେ ରହିଛି।
ପ୍ରଦୂଷିତ ସହର ତାଲିକାର ଶୀର୍ଷ ୫୦ ଭିତରେ ଓଡ଼ିଶାର ତାଳଚେର, ଅନୁଗୁଳ ଓ ରାଉରକେଲା ରହିଛି। ଅନୁଗୁଳ ସହରରେ ମଧ୍ୟ ଜାନୁଆରି, ଫେବୃଆରୀ, ମାର୍ଚ୍ଚ, ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ମାସରେ ବାୟୁ ପ୍ରଦୂଷଣ ଶୀର୍ଷ ଛୁଇଁଥିଲା। ଦ୍ରୁତ ଶିଳ୍ପ, କୋଇଲା, ଖଣି ଓ ଯାନବାହନର ଧୁଆଁ ଏହି ପ୍ରଦୂଷଣର ପ୍ରମୁଖ କାରଣ ଭାବେ ଦେଖାଯାଉଛି। ବିଶେଷଜ୍ଞମାନଙ୍କ ମତାନୁସାରେ, ତୁରନ୍ତ ପଦକ୍ଷେପ ନେଉନଥିଲେ ସ୍ୱାସ୍ଥ୍ୟ ସଙ୍କଟ ଗଭୀର ଆକାର ନେଇପାରେ।