କରଞ୍ଜିଆ : ରୋଜଗାର କରି ନିଜ ପରିବାରର ପେଟ ପୋଷିବା ପାଇଁ ଶ୍ରମିକ ଭାବେ କାମ କରୁଥିଲେ। ଅଧିକ ରୋଜଗାର ଆଶାରେ ବାହାରକୁ ଦାଦନ ଶ୍ରମିକ ଭାବେ ମଧ୍ୟ ଯାଇଥିଲେ। ହେଲେ କିଛି ଦିନ ପରେ ଘରକୁ ଫେରିଥିଲା ତାଙ୍କ ଶବ। ତେବେ ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ତରାମରା ଗ୍ରାମ ପଞ୍ଚାୟତର ବରାବିନ୍ଧା ସାହିରେ। ମୃତକ ହେଲେ ବରାବିନ୍ଧା ସାହିର ରଞ୍ଜିତ ବେହେରା। ତେବେ ଉକ୍ତ ଘଟଣା ପରେ ଯୁବକଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଅଭିଯୋଗକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁସାରେ, ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ବରାବିନ୍ଧା ସାହିର ଅମର ବେହେରାଙ୍କ ପୁଅ ରଞ୍ଜିତ ବେହେରା ଏବଂ ତାଙ୍କ ପତ୍ନୀ ୨୦୨୫ ମସିହା ଅଗଷ୍ଟ ମାସରେ କର୍ଣ୍ଣାଟକ ରାଜ୍ୟର କଲାର ଜିଲ୍ଲାକୁ ଦାଦନ ଖଟିବାକୁ ଯାଇଥିଲେ। ସେଠାରେ ଗୋଟିଏ କୁକୁଡ଼ା ଫାର୍ମରେ ଉଭୟ ସ୍ବାମୀ-ସ୍ତ୍ରୀ କାମ କରୁଥିଲେ। ହେଲେ ଗୁରୁବାର ତାଙ୍କ ଝୁଲନ୍ତା ମୃତଦେହ ପତ୍ନୀ ଦେଖିବାକୁ ପାଇଥିଲେ। ଏହାପରେ ସମସ୍ତ ଘଟଣା ବାବଦରେ ତାଙ୍କ ପତ୍ନୀ ତାଙ୍କ ପରିବାରକୁ ଖବର ଦେଇଥାଏ। ତେବେ ରଞ୍ଜିତଙ୍କ ମୃତ୍ୟୁର ଖବର ଶୁଣି ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ତେବେ ମୃତ ରଞ୍ଜିତଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ସାଧାରଣରେ ଦାବି ହୋଇଛି।