ହାଇଦ୍ରାବାଦ: ଲୋକପ୍ରିୟ ଚଳଚ୍ଚିତ୍ର 'ଅର୍ଜୁନ ରେଡ୍ଡୀ'ରେ ଅଭିନୟ କରିଥିବା ଅଭିନେତା ରାହୁଲ ରାମକୃଷ୍ଣଙ୍କ ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି। ପାରାକ୍ୱାଟ୍ (Paraquat) ନାମକ ଏକ ଅତ୍ୟନ୍ତ ବିଷାକ୍ତ କୀଟନାଶକ ଯୋଗୁଁ ତାଙ୍କ ଭାଇଙ୍କର ମୃତ୍ୟୁ ଘଟିଛି। ରାହୁଲ ସୋସିଆଲ ମିଡିଆରେ ଏହି ଦୁଃଖଦ ଖବର ସେୟାର କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ଏହି ବିଷାକ୍ତ କୀଟନାଶକ ଉପରେ ନିଷେଧାଦେଶ ଲଗାଇବାକୁ ଦାବି କରିଛନ୍ତି।
ମଣିଷ ପାଇଁ ଏତେ ବିପଜ୍ଜନକ ହୋଇଥିବା ସତ୍ତ୍ୱେ ପାରାକ୍ୱାଟ୍ ବିଷ କିପରି ଏତେ ସହଜରେ ମିଳିଯାଉଛି, ସେନେଇ ରାହୁଲ ଆଶ୍ଚର୍ଯ୍ୟ ହୋଇଛନ୍ତି ।
କଣ ଏହି ପାରାକ୍ୱାଟ୍ ବିଷ, ଯେଉଁଥିପାଇଁ ରାହୁଲଙ୍କ ଭାଇଙ୍କ ଜୀବନ ଗଲା?
ସୂଚନାଯୋଗ୍ୟ ଯେ, ପାରାକ୍ୱାଟ୍ ଏକ ଅତ୍ୟନ୍ତ ବିଷାକ୍ତ କୀଟନାଶକ, ଯାହା ଚାଷ କାର୍ଯ୍ୟରେ ଅନାବନା ଘାସ ସୁଖାଇବା ପାଇଁ ବ୍ୟବହାର କରାଯାଏ। ଏହା ଏତେ ମାରାତ୍ମକ ଯେ ଯଦି କେହି ଏହାର ସଂସ୍ପର୍ଶରେ ଆସନ୍ତି କିମ୍ବା ଏହାକୁ ଗିଳି ଦିଅନ୍ତି, ତେବେ ତୁରନ୍ତ ମୃତ୍ୟୁ କିମ୍ବା ସାଂଘାତିକ ରୋଗ ହେବାର ସମ୍ଭାବନା ଥାଏ। ରାହୁଲଙ୍କ ଭାଇ କିପରି ଏହି ବିଷ ସଂସ୍ପର୍ଶରେ ଆସିଲେ ସେ ବିଷୟରେ ସେ ସ୍ପଷ୍ଟ କରିନାହାଁନ୍ତି, କିନ୍ତୁ ଏହି କାରଣରୁ ହିଁ ତାଙ୍କର ମୃତ୍ୟୁ ଘଟିଛି।
ପିଏମ ମୋଦୀଙ୍କୁ ରାହୁଲଙ୍କ ନିବେଦନ
ରାହୁଲ ରାମକୃଷ୍ଣ ନିଜ 'X' ଆକାଉଣ୍ଟରେ ପିଏମ ମୋଦୀ ଏବଂ ତେଲେଙ୍ଗାନା ସିଏମ ରେଭନ୍ତ ରେଡ୍ଡୀଙ୍କୁ ଟ୍ୟାଗ୍ କରି ଲେଖିଛନ୍ତି, "ଆଜି ମୁଁ ମୋ ଭାଇକୁ ପାରାକ୍ୱାଟ୍ ବିଷ ଯୋଗୁଁ ହରାଇଲି। ଏହା ଅତ୍ୟନ୍ତ ମାରାତ୍ମକ ଏବଂ ଆତ୍ମହତ୍ୟା ପାଇଁ ଏହାର ବ୍ୟାପକ ଅପବ୍ୟବହାର କରାଯାଉଛି। ଏହା ସବୁ ସ୍ଥାନରେ ଏତେ ସହଜରେ ଉପଲବ୍ଧ ଦେଖି ମୁଁ ସ୍ତବ୍ଧ। ଡାକ୍ତରଖାନାରେ ଏଭଳି ମାମଲା ବଢିବାରେ ଲାଗିଛି ଏବଂ ସ୍ଥିତି ନିୟନ୍ତ୍ରଣ ବାହାରେ ଅଛି। ଦୟାକରି ଏହାକୁ ଶୀଘ୍ର ବ୍ୟାନ୍ କରନ୍ତୁ ଏବଂ ଲୋକଙ୍କ ଜୀବନ ବଞ୍ଚାନ୍ତୁ।"
ରାହୁଲଙ୍କ ଏହି ଟ୍ୱିଟ୍ ପରେ ଅନେକ ପ୍ରଶଂସକ ତାଙ୍କୁ ସମବେଦନା ଜଣାଇବା ସହ ନିଜ ଆତ୍ମୀୟ ସ୍ୱଜନଙ୍କୁ ମଧ୍ୟ ଏହି ବିଷ ଯୋଗୁଁ ହରାଇଥିବା କଥା କହିଛନ୍ତି।
କିଏ ଏହି ରାହୁଲ ରାମକୃଷ୍ଣ?
ରାହୁଲ ରାମକୃଷ୍ଣ ଜଣେ ତେଲୁଗୁ ଅଭିନେତା, ଲେଖକ ଏବଂ ସାମ୍ବାଦିକ। ସେ 'Sainma' ନାମକ ଏକ ସର୍ଟ ଫିଲ୍ମରୁ କ୍ୟାରିୟର ଆରମ୍ଭ କରିଥିଲେ, କିନ୍ତୁ ୨୦୧୭ରେ ଆସିଥିବା 'ଅର୍ଜୁନ ରେଡ୍ଡୀ' ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା। ଏହାପରେ ସେ 'ଭାରତ ଆନେ ନେନୁ', 'ସମ୍ମୋହନମ', 'ଗୀତା ଗୋବିନ୍ଦମ' ଭଳି ଅନେକ ଫିଲ୍ମରେ ଅଭିନୟ କରିଛନ୍ତି। ୨୦୨୫ ମସିହାରେ ସେ 'Andhra King Taluka' ଚଳଚ୍ଚିତ୍ରରେ ନଜର ଆସିଥିଲେ।
ସୂଚନାଯୋଗ୍ୟ ଯେ, ପୂର୍ବରୁ ରାହୁଲ ନିଜ ପିଲାଦିନେ ଯୌନ ନିର୍ଯାତନାର ଶିକାର ହୋଇଥିବା କଥା ସେୟାର କରି ଚର୍ଚ୍ଚାକୁ ଆସିଥିଲେ।