ନୂଆଦିଲ୍ଲୀ: ଦିନେ ଟେଲିଭିଜନ ଶୋ’ ‘କୌନ ବନେଗା କରୋଡ଼ପତି’ (କେବିସି)ରେ ୫୦ ଲକ୍ଷ ଟଙ୍କା ଜିତି ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ମହିଳା ତହସିଲଦାର ଶେଷରେ ଜେଲ୍ ଯାଇଛନ୍ତି । ଲୋକଙ୍କ ପାଇଁ ଆସିଥିବା ୨.୫ କୋଟି ଟଙ୍କାର ବନ୍ୟା ରିଲିଫ୍ ପାଣ୍ଠି ହଡ଼ପ କରିଥିବା ଅଭିଯୋଗ ହୋଇଛି । ରିଲିଫ୍ ପାଣ୍ଠି ଆତ୍ମସାତ କରିବା ଅଭିଯୋଗରେ ମଧ୍ୟପ୍ରଦେଶ ଗ୍ୱାଲିଅର ବାସଭବନରୁ ଅମିତା ସିଂହ ତୋମାର ଗିରଫ ହୋଇଛନ୍ତି । ତାଙ୍କୁ ଶିବପୁରୀ ଜେଲରେ ରଖାଯାଇଛି ।
୨୦୨୧ରେ ଅମିତା ସିଂହ ତୋମାର ବିଜୟପୁର ତହସିଲରେ ତହସିଲଦାର ଭାବେ କାର୍ଯ୍ୟରତ ଥିଲେ । ଏହି ସମୟରେ ବନ୍ୟା ଆସିବାରୁ ଲୋକଙ୍କ ପାଇଁ ସରକାରଙ୍କ ପକ୍ଷରୁ ରିଲିଫ୍ ପାଣ୍ଠି ଯୋଗାଇ ଦିଆଯାଇଥିଲା । ତହସିଲର ୭୯୪ ଜଣ ବନ୍ୟା ପ୍ରପୀଡିତଙ୍କ ପାଇଁ ସରକାର ରିଲିଫ୍ ଘୋଷଣା କରିଥିଲେ । କିନ୍ତୁ ୧୨୭ ନକଲି ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରାଯାଇ ପ୍ରାୟ ଦୁଇରୁ ଅଢେଇ କୋଟି ଟଙ୍କାର ରିଲିଫ ପାଣ୍ଠି ହେରଫେର କରିଥିବା ଅଭିଯୋଗ ହୋଇଥିଲା । ଏଥିରେ ମୋଟ ୧୧୦ ଜଣଙ୍କ ନାମ ରହିଥିବା ବେଳେ ତତ୍କାଳୀନ ତହସିଲଦାର ଅମିତାଙ୍କ ନାମ ଯୋଡ଼ି ହୋଇଥିଲା ।
ତେବେ ଗିରଫଦାରୀର ଆଶଙ୍କାରେ ତୋମାର ପୂର୍ବରୁ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ, କିନ୍ତୁ ତାଙ୍କ ଆବେଦନ ଖାରଜ ହୋଇଯାଇଥିଲା । ଏହା ପରେ ଆଉ କାର୍ଯ୍ୟାଳୟକୁ ଆସିନଥିଲେ । ଗତକାଲି ଡ୍ୟୁଟି ନ କରି ଘରେ ଥିଲେ । ସେଓପୁର ଜିଲ୍ଲାର ବରୋଦା ଏସଡିପିଓ ଅବନୀତ ଶର୍ମାଙ୍କ ନେତୃତ୍ୱରେ ଏକ ଦଳ ତୋମାରଙ୍କୁ ଗ୍ୱାଲିୟରର ଚନ୍ଦ୍ରବଦନି ନାକାସ୍ଥିତ ତାଙ୍କ ଘରୁ ଗିରଫ କରିଥିଲା। ୨୦୨୧ ବନ୍ୟା ରିଲିଫ୍ 'ସ୍କାମ'ରେ ଏପର୍ଯ୍ୟନ୍ତ ୨୨ ଜଣ ରାଜସ୍ୱ ଅଧିକାରୀ ଏବଂ ଜଣେ ତହସିଲଦାରଙ୍କୁ ଗିରଫ କରାଯାଇଛି । ଗତ ବୁଧବାର ଜିଲ୍ଲାପାଳ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିସାରିଛନ୍ତି ।
ଅଭିନେତା ଅମିତାଭ ବଚ୍ଚନଙ୍କ ଦ୍ୱାରା ପରିଚାଳିତ କୌନ୍ ବନେଗା କରୋଡ଼ପତି ବା KBCରେ ଅମିତା ପ୍ରତିଯୋଗୀ ଭାବରେ ଅଂଶ ଗ୍ରହଣ କରି ୫୦ ଲକ୍ଷ ଟଙ୍କା ଜିତିଥିଲେ।