ସୁନ୍ଦରଗଡ଼: ସରକାରୀ ବ୍ୟବସ୍ଥା ଉପରେ ପୁଣି ଉଠିଲା ପ୍ରଶ୍ନଚିହ୍ନ। ରୋଗୀଙ୍କ ପାଇଁ ମାଗଣାରେ ଯୋଗାଇଦେବାକୁ ଥିବା ସରକାରୀ ଔଷଧ ଏବେ ଜଙ୍ଗଲରେ ପଡିଥିବା ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ସୁନ୍ଦରଗଡ଼ର ଅମଲିପାଲି ବାଇପାସ ରାସ୍ତା କଡରେ ପୁଳାପୁଳା ଔଷଧ ଫିଙ୍ଗିଦିଆଯାଇଥିବା ଦେଖାଯାଇଛି। ବଡ କଥା ହେଲା, ଏହି ସ୍ଥାନଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ମାତ୍ର ୨ କିଲୋମିଟର ଦୂରରେ ଅବସ୍ଥିତ। ଜଙ୍ଗଲରେ କଫ ସିରଫ ସହିତ ବହୁ ଗୁରୁତ୍ୱପୂର୍ଣ୍ଣ ଔଷଧ ପଡିଥିବା ଦେଖାଯାଇଛି। ଏହି ସବୁ ଔଷଧ ସରକାରଙ୍କ ପକ୍ଷରୁ ରୋଗୀଙ୍କୁ ମାଗଣାରେ ଦେବା ପାଇଁ ଯୋଗାଇ ଦିଆଯାଇଥିଲା।
ଔଷଧ ଜଙ୍ଗଲରେ କିଏ ଓ କାହିଁକି ଫୋପାଡ଼ିଲା ?
ରୋଗୀମାନେ ଯେଉଁଠି ଔଷଧ ପାଇଁ ହସ୍ପିଟାଲ ଘୁରୁଛନ୍ତି, ସେଠାରେ ଏହି ଔଷଧ ଏଭଳି ଫିଙ୍ଗିଦିଆଯିବା ଘଟଣା ଗଭୀର ଅବ୍ୟବସ୍ଥାକୁ ସୂଚନା ଦେଉଛି। କିଏ ଓ କାହିଁକି ଏହି ଔଷଧକୁ ଏଠାରେ ଫେଙ୍ଗିଦେଲା, ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି।
ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଉଠିଲା ପ୍ରଶ୍ନ
ଏହି ଘଟଣା ପରେ ସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟପ୍ରଣାଳୀ ଓ ଔଷଧ ବଣ୍ଟନ ପ୍ରଣାଳୀ ଉପରେ ପ୍ରଶ୍ନ ଉଠିଛି। ଏହା କେବଳ ଅବ୍ୟବସ୍ଥା ନା କିଛି ବଡ ଅନିୟମିତତା, ତାହା ନେଇ ଚର୍ଚ୍ଚା ବଢ଼ିଛି। ହେଲେ ଏହି ଘଟଣା ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିନାହିଁ। ସ୍ଥାନୀୟ ଲୋକମାନେ ଘଟଣାର ତୁରନ୍ତ ତଦନ୍ତ କରି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ନେବାକୁ ଦାବି କରୁଛନ୍ତି।