ଗଞ୍ଜାମ: ଭଞ୍ଜନଗର ସେଚ ଡିଭିଜନ୍ ଅଧୀନ ଡହ ମଧ୍ୟମ ଜଳସେଚନ ପ୍ରକଳ୍ପ ଏସ୍ଡିଓ ପଞ୍ଚୁ ବେହେରା ଭିଜିଲାନ୍ସ ଦ୍ବାରା ଗିରଫ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି ସକାଳୁ ତାଙ୍କ ସରକାରୀ କାର୍ଯ୍ୟାଳୟ ଓ ବାସଭବନ ସହ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ ହୋଇଥିଲା। ସମାନ ସମୟରେ ୫ଟି ସ୍ଥାନରେ ଛାନ୍ଭିନ୍ ହୋଇଥିବା ବେଳେ ପଞ୍ଚୁଙ୍କ କ୍ବାର୍ଟର୍ସ ଓ ଘରୁ ନଗଦ ୧୮ ଲକ୍ଷ ଟଙ୍କା ସହ ବିପୁଳ ସୁନା, ଜମି କାଗଜପତ୍ର ଓ ଆର୍ଥିକ ନିବେଶ ନେଇ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଭିଜିଲାନ୍ସ ହାତେଇଥିଲା।
ସୂଚନା ଅନୁସାରେ ଏସ୍ଡିଓଙ୍କ ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୪ କୋଟିରୁ ଅଧିକ ହେବ ବୋଲି ଆକଳନ କରାଯାଇଛି, ଯାହା ତାଙ୍କ ୧୫ ବର୍ଷର ଚାକିରି କାଳ ମଧ୍ୟରେ ଆୟ କରିଛନ୍ତି। ୪୧ ବର୍ଷୀୟ ପଞ୍ଚୁ ବେହେରା ୨୭ ସେପ୍ଟେମ୍ବର ୨୦୧୧ରେ ସରକାରୀ ଚାକିରିରେ ପ୍ରବେଶ କରିଥିଲେ, ଏବଂ ତାଙ୍କର ମାସିକ ୯,୩୦୦ ଟଙ୍କା ମିଳିତ ପାରିଶ୍ରମିକ ଥିଲା। ତାଙ୍କୁ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗରେ ନିଯୁକ୍ତି ଦିଆଯାଇଥିଲା ଏବଂ ୧୫ ଅକ୍ଟୋବର ୨୦୧୧ ରୁ ୧୯ ନଭେମ୍ବର ୨୦୧୫ ପର୍ଯ୍ୟନ୍ତ କୋକସରା ବ୍ଲକରେ ସହକାରୀ ଯନ୍ତ୍ରୀ (ସିଭିଲ୍) ଭାବରେ ନିଯୁକ୍ତି ଦିଆଯାଇଥିଲା।
ତେବେ ଏହି ସମସ୍ତ ସମ୍ପତ୍ତି ସମ୍ବନ୍ଧରେ ସେ ସଠିକ ହିସାବ ଦେଇପାରିନଥିବାରୁ, ଭିଜିଲାନ୍ସ ତାଙ୍କ ବିରୋଧରେ ପ୍ରିଭେନ୍ସନ ଅଫ କରପ୍ସନ ଆକ୍ଟ, ୨୦୧୮ ଅନୁସାରେ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ କେସ୍ ନଂ ୦୩/୨୦୨୬ ରେ ଏକ ମାମଲା ରୁଜୁ କରିଛି । ଏହାପରେ ଏସଡିଓଙ୍କୁ ଗିରଫ କରାଯାଇଛି ।