ନୂଆଦିଲ୍ଲୀ: ଆତଙ୍କବାଦୀ ବିରୋଧରେ ବଡ଼ ସଫଳତା । ମୋଟ ୮ ରାଜ୍ୟରେ ଘନ ଘନ ଚଢ଼ଉ ପରେ ଜଣେ ମହିଳା ସମେତ ୧୨ ଜଣ ଆତଙ୍କବାଦୀ ଗିରଫ ହୋଇଛନ୍ତି । ଆନ୍ଧ୍ର ପ୍ରଦେଶ, ବିହାର, ଦିଲ୍ଲୀ, ପଶ୍ଚିମବଙ୍ଗ, ରାଜସ୍ଥାନ, କର୍ଣ୍ଣାଟକ, ମହାରାଷ୍ଟ୍ର ଏବଂ ତେଲାଙ୍ଗାନାରୁ ଧରାପଡ଼ିଛନ୍ତି । ଏମାନଙ୍କର ଆତଙ୍କୀ ସଙ୍ଗଠନ ଅଲ୍-କାଏଦା ଏବଂ ଇସ୍ଲାମିକ୍ ଷ୍ଟେଟ୍ ଅଫ୍ ଇରାକ ଆଣ୍ଡ୍ ସିରିଆ (ଆଇଏସ୍ଆଇଏସ୍) ସହିତ ଲିଙ୍କ୍ ରହିଛି ।
ଗିରଫଙ୍କ ମଧ୍ୟରେ ରହିଛନ୍ତି, ଆନ୍ଧ୍ର ପ୍ରଦେଶର ମହମ୍ମଦ ରେମତୁଲ୍ଲାହ, ମିର୍ଜା ସୋହେଲ ବେଗ୍ ଓ ମହମ୍ମଦ ଦାନିଶ, ବିହାରର ସଦାମ ଦିଲକୁଶ ଓ ଅଜମନୁଲ୍ଲାହ ଖାନ, ଦିଲ୍ଲୀ ରୋହିଣୀ ନଗର ବାସିନ୍ଦା ଲକି ଅହମ୍ମଦ, ପଶ୍ଚିମବଙ୍ଗର ମର୍ ଆସିଫ ଅଲି, ରାଜସ୍ତାନର ଜିଶାନ, କର୍ଣ୍ଣାଟକର ଅବଦୁଲ ସଲାମ, ମହାରାଷ୍ଟ୍ର ଶାହରୁଖ ଖାନ ଓ ସିୟାକ ପିୟାଜ ଉର୍ ରେହମାନ ଏବଂ ତେଲେଙ୍ଗାନାର ସାଇଦା ବେଗମ । ଦିଲ୍ଲୀ ପୋଲିସ ଏବଂ ଆନ୍ଧ୍ର ପ୍ରଦେଶ ପୋଲିସ ମିଳିତ ଅଭିଯାନରେ ଏହା ସମ୍ଭବ ହୋଇପାରିଛି ।
ସମସ୍ତ ଅଭିଯୁକ୍ତ ଏକ୍ୟୁଆଇଏସ ଏବଂ ଆଇଏସ୍ଆଇଏସର ଏକ ଗେମିଂ ଆପରେ ଜଡ଼ିତ ଥିଲେ । ପରେ ସମସ୍ତେ ଏକାଠି କାମ କରିଥିଲେ । ଆଇଏସ୍ଆଇଏସ୍ ସହିତ ଜଡ଼ିତ ଥିବା ‘ବେନେକ୍ସ କମ୍’ ନାମରେ ଏକ ଲିଙ୍କ୍ ଥିଲା ।
ସେମାନେ ସେମାନଙ୍କର ସୋସିଆଲ ମିଡିଆ ପୋଷ୍ଟରେ ଜାତୀୟ ପତାକାକୁ ଆଇଏସ୍ଆଇଏସ୍ ପତାକା ସହିତ ବଦଳାଇ ଦେଇଥିବା ଅଭିଯୋଗ ହୋଇଛି । ଏପରିକି ଭାରତର ଜାତୀୟ ପତାକାକୁ ମଧ୍ୟ ପୋଡ଼ିଥିଲେ, ଆଇଏସ୍ଆଇଏସ୍ କୁ ପ୍ରଶଂସା କରିଥିଲେ ଏବଂ ଭାରତକୁ ଏକ ଇସଲାମିକ୍ ରାଷ୍ଟ୍ରରେ ପରିଣତ କରିବା ପାଇଁ ସମର୍ଥନ କରିଥିଲେ। ଏମିତିକି ଜାତୀୟ ସଙ୍ଗୀତକୁ ଅପମାନିତ କରିଥିଲା ତଦନ୍ତକାରୀ ଅଧିକାରୀମାନେ କହିଛନ୍ତି । ସେମାନେ ଆତଙ୍କବାଦୀ ତାଲିମରେ ଅଂଶଗ୍ରହଣ କରିବା ପାଇଁ ଗୋଟିଏ ମାସ ମଧ୍ୟରେ ପାକିସ୍ତାନ ଯାତ୍ରା କରିବାକୁ ଯୋଜନା କରୁଥିଲେ ଏବଂ ଅନ୍ୟମାନଙ୍କୁ ପାକିସ୍ତାନ ଏବଂ ଆଫଗାନିସ୍ତାନରେ ତାଲିମ ନେବାକୁ ପ୍ରବର୍ତ୍ତାଉ ଥିଲେ ।