ଭୁବନେଶ୍ୱର: ଭାରତୀୟ ସ୍ଥଳସେନାର ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଆସନ୍ତାକାଲି ଅର୍ଥାତ୍ ମାର୍ଚ୍ଚ ୨୭ରୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତ ସମୟରେ ସେ ଭୁବନେଶ୍ୱର, ପୁରୀ ଏବଂ ଗୋପାଳପୁରରେ ବିଭିନ୍ନ ସେନା ଓ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗଦେବେ।
ଗସ୍ତ କାର୍ଯ୍ୟସୂଚୀ ଅନୁସାରେ, ଜେନେରାଲ ଦ୍ୱିବେଦୀ ମାର୍ଚ୍ଚ ୨୭ ତାରିଖରେ ଭୁବନେଶ୍ୱରରେ ପହଞ୍ଚିବେ। ସେଠାରୁ ସେ ୧୨୦ ପଦାତିକ ବାଟାଲିୟନ (ଟେରିଟୋରିଆଲ ଆର୍ମି)କୁ ଯାଇ ସେନାର କାର୍ଯ୍ୟକଳାପ ଦେଖିବେ ଏବଂ ସେଠାରେ ରାତ୍ରିଯାପନ କରିବେ।
ପରବର୍ତ୍ତୀ ଦିନ ଅର୍ଥାତ୍ ମାର୍ଚ୍ଚ ୨୮ରେ ସେ ପୁରୀ ଯାତ୍ରା କରିବେ। ପୁରୀର ସୈନିକ ସଦନରେ ରହିବା ସମୟରେ ସେଠାରୁ ସେ ଶ୍ରୀମନ୍ଦିରଯାଇ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବେ ବୋଲି ସୂଚନା ମିଳିଛି। ଏହା ପରେ ଜେନେରାଲ ଦ୍ୱିବେଦୀ ତାଲାବଣିଆ ହେଲିପ୍ୟାଡ୍ ମାଧ୍ୟମରେ ଗୋପାଳପୁରକୁ ଯିବେ, ଯେଉଁଠାରେ ସେ ଆର୍ମି ଏୟାର ଡିଫେନ୍ସ କଲେଜ (AADC) ପରିଦର୍ଶନ କରିବେ।
ଗୋପାଳପୁରରେ ଥିବା ସମୟରେ ସେ ସେନାର ତାଲିମ ବ୍ୟବସ୍ଥା, ଆଧୁନିକ ସାମଗ୍ରୀ ଏବଂ କାର୍ଯ୍ୟପ୍ରଣାଳୀ ସମ୍ପର୍କରେ ସମୀକ୍ଷା କରିବେ।ଏହା ସହିତ ସେ ଅଧିକାରୀ ଏବଂ ପୂର୍ବତନ ସୈନିକମାନଙ୍କ ସହିତ ଆଲୋଚନା କରିବେ ଓ ବିଭିନ୍ନ କାର୍ଯ୍ୟକ୍ଷମ ବ୍ରିଫିଂରେ ଯୋଗଦେବେ। ତିନି ଦିନିଆ ଏହି ଗସ୍ତ ଶେଷ କରି ଜେନେରାଲ ଦ୍ୱିବେଦୀ ମାର୍ଚ୍ଚ ୨୯ ତାରିଖରେ ନୂଆଦିଲ୍ଲୀକୁ ଫେରିବେ। ସେନା ମୁଖ୍ୟଙ୍କ ଏହି ଓଡ଼ିଶା ଗସ୍ତ ସେନାର ପ୍ରସ୍ତୁତି, ପ୍ରଶିକ୍ଷଣକୁ ଆହୁରି ମଜବୁତ କରିବାରେ ଗୁରୁତ୍ୱପୂର୍ଣ୍ଣ ହେବ।