ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ୪ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ନିର୍ବାଚନ ସମୟ ଚାଲିଛି । ତେବେ ଯେବେଠାରୁ ନିର୍ବାଚନ ଆଦର୍ଶ ଆଚରଣ ସଂହିତା ଲାଗୁ ହୋଇଛି ସେବେଠାରୁ କୋଟି କୋଟି ଟଙ୍କା ଏବଂ ସାମଗ୍ରୀ ଜବତ ହେଉଛି । ଯାହାକି ମତଦାତାଙ୍କୁ ପ୍ରଲୋଭିତ କରିବାକୁ ଉଦ୍ଦିଷ୍ଟ ଅଟେ । ମାତ୍ର ମାସକ ମଧ୍ୟରେ ୪୦୦ କୋଟି ଉର୍ଦ୍ଧ୍ୱ ମୂଲ୍ୟର ଅବୈଧ ଟଙ୍କା ଏବଂ ସାମଗ୍ରୀ ଜବତ ହୋଇଥିବା ସୂଚନା ଦେଇଛନ୍ତି ଭାରତୀୟ ନିର୍ବାଚନ ଆୟୋଗ ।
ଗୁରୁବାର ଦିନ ଇସିଆଇ କହିଛନ୍ତି ଯେ ଗତ ମାସରେ ଚାରିଟି ରାଜ୍ୟ ଏବଂ ଏକ କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ୪୦୮ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅବୈଧ ପ୍ରଲୋଭନ ଜବତ କରାଯାଇଛି । ଫେବୃଆରୀ ୨୬ ତାରିଖରେ ଇଲେକ୍ଟ୍ରୋନିକ୍ ସିଜର୍ ମ୍ୟାନେଜମେଣ୍ଟ ସିଷ୍ଟମ୍ ସକ୍ରିୟ ହେବା ପରଠାରୁ ବହୁ ପ୍ରବର୍ତ୍ତନ ସଂସ୍ଥା ଦ୍ୱାରା ୪୦୮.୮୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅବୈଧ ପ୍ରଲୋଭନ ଜବତ କରାଯାଇଛି । ଯେଉଁଥିରେ ୧୭.୪୪ କୋଟି ଟଙ୍କା ନଗଦ ରାଶି, ୩୭.୬୮ କୋଟି ଟଙ୍କା ମୂଲ୍ୟର ୧୬.୩ ଲକ୍ଷ ଲିଟର ମଦ, ୧୬୭.୩୮ କୋଟି ଟଙ୍କା ମୂଲ୍ୟର ମାଦକ ଦ୍ରବ୍ୟ, ୨୩ କୋଟି ଟଙ୍କା ମୂଲ୍ୟର ମୂଲ୍ୟବାନ ଧାତୁ ଏବଂ ୧୬୩.୩୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନ୍ୟାନ୍ୟ ମାଗଣା ସାମଗ୍ରୀ ଅନ୍ତର୍ଭୁକ୍ତ ଅଟେ ।
ଆସାମ, କେରଳ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ୯ ଏପ୍ରିଲ୍ରେ ମତଦାନ ହେବ । ୨୩ ଏପ୍ରିଲରେ ତାମିଲନାଡୁରେ ନିର୍ବାଚନ ଅନୁଷ୍ଠିତ ହେବ। ସେହିପରି ପଶ୍ଚିମବଙ୍ଗରେ ୨୩ ଏପ୍ରିଲରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଏବଂ ୨୯ ଏପ୍ରିଲରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ମେ ୪ରେ ଫଳାଫଳ ପ୍ରକାଶ ପାଇବ ।