କୋଲକାତା: ପଶ୍ଚିମବଙ୍ଗର ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ପାରା ଚରମରେ ରହିଛି । ଏହା ମଧ୍ୟରେ ବଶିରହାଟ ନିର୍ବାଚନ ମଣ୍ଡଳିର ଗୋଟିଏ ବୁଥରୁ କଥିତ ଭାବେ ସବୁ ମୁସଲିମ ଭୋଟରଙ୍କ ନାଁ କଟିଯିବା ନେଇ ବଡ ବିବାଦ ମୁଣ୍ଡ ଟେକିଛି । କଟିଥିବା ଭୋଟରଙ୍କ ସଂଖ୍ୟା ହେଉଛି ୩୪୦ । ନିର୍ବାଚନ ଆୟୋଗଙ୍କ ଦ୍ୱାରା ଭୋଟର ତାଲିକା ଜାରି ହେବା ପରେ ଏହି ଘଟଣା ସାମ୍ନାକୁ ଆସିଛି।
ଇଣ୍ଡିଆ ଟୁଡେର ରିପୋର୍ଟ ଅନୁଯାୟୀ, ହଟାଯାଇଥିବା ସମସ୍ତ ଭୋଟର ବୋରୋ ଗୋବରା ଗାଁର ବୁଥ ନମ୍ବର ୫ର । ଏ ସମସ୍ତେ ମୁସଲିମ ଭୋଟର । ଏହା ପୂର୍ବରୁ ସମସ୍ତଙ୍କ ନାଁ ପ୍ରଥମେ ଡ୍ରାଫ୍ଟ ତାଲିକାରେ ଅଣ୍ଡର ଏଡଜୁଡିକେଶନ ଭାବେ ସାମିଲ୍ କରାଯାଇଥିଲା । ଅର୍ଥାତ ଯାଞ୍ଚ ତାଲିକାରେ ସମସ୍ତ ୩୪୦ ଭୋଟରଙ୍କ ନାଁ ରହିଥିଲା । ହେଲେ ମଙ୍ଗଳବାର ସନ୍ଧ୍ୟା ୫ଟାରେ ଜାରି ହୋଇଥିବା ପୂରକ ତାଲିକାରେ ସଭିଙ୍କ ନାଁ ହଟାଇ ଦିଆଯାଇଛି । ମାମଲା ତେବେ ଆହୁରି ବିଗିଡିଲା ଯେତେବେଳେ ଜଣା ପଡିଲା ଯେ, ତାଲିକାରୁ ବୁଥ ଲେବୁଲ ଅଫିସର(ବିଏଲଓ) ମହମ୍ମଦ ଶଫିଉଲ ଆଲମଙ୍କ ନାଁ ମଧ୍ୟ ହଟାଯାଇଛି ।
ଏହି ପୂରା ମାମଲା ବଶିରହାଟ ବ୍ଲକ-୨ ବେଗମପୁର ବିବିପୁର ଗ୍ରାମ ପଞ୍ଚାୟତର ବୁଥ ନମ୍ବର ୫ର ଘଟଣା । ଏଠାରେ ମୋଟ୍ ୯୯୨ ପଞ୍ଜିକୃତ ଭୋଟର ଅଛନ୍ତି । ଏଥିରୁ ୩୮ ଜଣଙ୍କ ନାଁ ମୃତ୍ୟୁ କିମ୍ବା ସ୍ଥାନ ପରିବର୍ତ୍ତନ କରିବା କାରଣରୁ ତାଲିକାରୁ ହଟା ଯାଇଥିଲା । ଏହା ବ୍ୟତୀତ ୩୫୮ ଭୋଟରଙ୍କୁ ସେମାନଙ୍କର କାଗଜପତ୍ର ଯାଞ୍ଚ ପାଇଁ ଡକାଯାଇଥିଲା । ଡ୍ରାଫ୍ଟ ତାଲିକାରେ ଏଥିରୁ ୧୮ ଜଣଙ୍କ ସମସ୍ୟାର ସମଧାନ ହୋଇଥିଲା । କିନ୍ତୁ ବାକି ୩୪୦ ଜଣଙ୍କୁ ଯାଞ୍ଚ ତାଲିକାରେ ରଖାଯାଇଥିଲା । ମାତ୍ର ୨୩ ତାରିଖରେ ଜାରି ଅନ୍ତରୀଣ ତାଲିକାରେ ସମସ୍ତ ୩୪୦ ଜଣଙ୍କ ନାଁ ହଟାଇ ଦିଆଯାଇଥିଲା ।
ଏହ ଘଟଣା ପରେ ଅଞ୍ଚଳରେ ସ୍ଥାନୀୟ ଲୋକେ ଖୁବ ବିରୋଧ ପ୍ରଦର୍ଶନ କରିଛନ୍ତି । ଲୋକେ ସ୍ଥାନୀୟ ଅଧିକାରୀ ଓ ନିର୍ବାଚନ ଅଧିକାରୀଙ୍କ ପାରଦର୍ଶିତା ଓ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି । ବିଏଲଓ ମହମ୍ମଦ ଶଫିଉଲ ଆଲମ କହିଛନ୍ତି ଯେ, ସେ ବଶିରହାଟ ବ୍ଲକ-୨ର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ । କିନ୍ତୁ ତାଙ୍କୁ ଜବାବ ମିଳିଲା ଯେ, ଏବେ ଆଉ କିଛି କରି ହେବନି । ଶଫିଉଲ ଆଲମ କହିଛନ୍ତି, ଏହି ମାମଲାକୁ ସେ ଟ୍ରିବ୍ୟୁନାଲରେ ଉଠାଇବେ ଏବଂ ଆଇନଗତ ଲଢେଇ କରିବେ।