ଭୁବନେଶ୍ୱର: ଦିନ ପରେ ଦିନ ଗଡ଼ୁଛି, ହେଲେ ବିଧାନସଭାରେ ଥମୁନି ହଟ୍ଟଗୋଳ। ସେହି ସମାନ ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟ ନାରାବାଜି କରୁଛନ୍ତି। ଏସ୍ସିବି ମେଡିକାଲ ପୋଡ଼ି ପ୍ରସଙ୍ଗ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିରୋଧୀ ଅଟଳ। ଆଜି ମଧ୍ୟ ଗୃହରେ ପ୍ରଶ୍ନକାଳ ଆରମ୍ଭରୁ ଦେଖାଦେଇଛି ଅସନ୍ତୋଷ। ବିରୋଧୀଙ୍କ ହଙ୍ଗାମା, ହଟ୍ଟଗୋଳ ଭିତରେ ସ୍ୱାଭାବିକ ଭାବେ ଚାଲିପାରୁନି ଗୃହ। ଫଳରେ ହଟ୍ଟଗୋଳ ମଧ୍ୟରେ ଗୃହକୁ ପ୍ରଥମେ ସାଢ଼େ ୧୧ଟା ଯାଏଁ ମୁଲତବୀ କରିଥିଲେ ବାଚସ୍ପତି।
ବିଧାନସଭା ପରିସରରେ ଥିବା ଗାନ୍ଧିମୂର୍ତ୍ତୀ ତଳେ ବିରୋଧୀ ପ୍ରତିବାଦ କରିଥିଲେ। ଏହା ପୁଣି ଗୃହ କାର୍ଯ୍ୟ ଆରମ୍ଭ ହେବ ମାତ୍ରେ ସେଇ ସମାନ ସ୍ଥିତି ଦେଖିବାକୁ ମିଳିଥିଲା। ବାଧ୍ୟ ହୋଇ ବାଚସ୍ପତି ସୋମବାର ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି।
ଏସସିବି ମେଡ଼ିକାଲ ଅଗ୍ନିକାଣ୍ଡ ଘଟଣାକୁ ନେଇ ୧୭ ତାରିଖରୁ ଲଗାତାର ଭାବେ ଗୃହରେ ହଟ୍ଟଗୋଳ କରୁଛନ୍ତି ବିରୋଧୀ। ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ ବି ବାହାରିପାରିନି ନିଷ୍କର୍ସ। ଅନ୍ୟପଟେ ବିରୋଧୀଙ୍କ ଆଭିମୁଖ୍ୟ ନେଇ ତୀବ୍ର ସମାଲୋଚନା କରିଛି ଶାସକ ବିଜେପି।
ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି,ଏସସିବିରେ ନିଆଁ ଲାଗିବା ମାତ୍ରେ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ମେଡିକାଲକୁ ଯାଇଥିଲେ। ଦୁଇଟି କମିଟି ଗଠନ ସହ ବିଚାର ବିଭାଗୀୟ ତଦନ୍ତ ହେଉଛି। ରିପୋର୍ଟ ଦେବାକୁ ସମୟସୀମା ଧାର୍ଯ୍ୟ ହୋଇଛି। ସେହିପରି ପୂର୍ବତନ ସରକାରଙ୍କ ସମୟରେ ଅନେକ ମନ୍ତ୍ରୀମାନଙ୍କ ନାଁରେ ଅପରାଧିକ ମାମଲା ଆସିଥିଲା। ସେମାନେ କଣ ଇସ୍ତଫା ଦେଇଥିଲେ କି ବୋଲି ସେ ପଚାରିଛନ୍ତି?