ମୟୂରଭଞ୍ଜ ଜିଲ୍ଲାର ମୋରଡା ଅଞ୍ଚଳରୁ ଆସିଛି ଏକ ହୃଦୟବିଦାରକ ଘଟଣା, ଯାହା ରକ୍ତ ସମ୍ପର୍କକୁ ମଧ୍ୟ ଲଜ୍ଜିତ କରିଦେଇଛି। ମାତ୍ର ୪୦୦ ଟଙ୍କା ପାଇଁ ଜଣେ ପୁଅ ନିଜ ବାପାଙ୍କୁ ନୃଶଂସ ଭାବେ ହତ୍ୟା କରିଛି। ସଜନା ଛୁଇଁ ବିକ୍ରି କରି ରଖିଥିବା ଟଙ୍କା ଦେବାକୁ ମନା କରିବାରୁ ବାପାକୁ ବାଉଁଶକାଠ ଓ ଲୁହାନଳୀରେ ପିଟିପିଟି ହତ୍ୟା କଲା କୁଳଙ୍ଗାର ପୁଅ। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର ମୋରଡା ଥାନା ଅଧୀନ ହଲଦୀପାଳ ପଞ୍ଚାୟତ ଲଦ ଡ଼ିହି ଗ୍ରାମରେ। ମୃତକ ହେଲେ ଲଦ ଡ଼ିହି ଗ୍ରାମର ଗୋବିନ୍ଦ ମାରାଣ୍ଡି।
ପରିବାର ଲୋକଙ୍କ କହିବା ଅନୁସାରେ, ଅଭିଯୁକ୍ତ ପୁଅ ମଧୁ ମାରାଣ୍ଡି ପ୍ରତିଦିନ ନିଶା କରି ବାପାଙ୍କୁ ଟଙ୍କା ମାଗୁଥିଲା। ବାପା ଟଙ୍କା ଦେବାକୁ ମନା କଲେ ସେ ତାଙ୍କୁ ମାଡ଼ ମାରୁଥିଲା। ଘଟଣା ଦିନ ମଧ୍ୟ ସେ ବାପାଙ୍କୁ ସଜନା ଛୁଇଁ ବିକ୍ରି କରି ରଖିଥିବା ୪୦୦ ଟଙ୍କା ଦେବାକୁ କହିଥିଲା। ବାପା ମନା କରିବା ସହିତ ରାଗରେ ଅନ୍ଧ ହୋଇ ପୁଅ ବାଉଁଶ କାଠ ଓ ଲୁହା ନଳୀରେ ପିଟିପିଟି ବାପାଙ୍କୁ ହତ୍ୟା କରିଦେଇଥିଲା।
ନିଶା ମନୁଷ୍ୟକୁ କେତେ ନିମ୍ନ ସ୍ତରକୁ ନେଇଯାଇପାରେ, ଏହି ଘଟଣା ତାହାର ଜ୍ୱଳନ୍ତ ଉଦାହରଣ। ମାତ୍ର କିଛି ଟଙ୍କା ପାଇଁ ନିଜ ବାପାଙ୍କୁ ହତ୍ୟା କରିଥିବା ଏହି ଘଟଣା ସମାଜ ପାଇଁ କଳଙ୍କିତ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ପୁଅକୁ ଗିରଫ କରିଛି। ଏହାସହ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି।