ଭୁବନେଶ୍ୱର: ଓଡ଼ିଶା ସରକାର ପକ୍ଷରୁ ୨୦୨୬ ରୁ ୨୦୨୯ ଅବଧି ପାଇଁ ଏକ ନୂତନ ତ୍ରୈବାର୍ଷିକ ଅବକାରୀ ନୀତି ଘୋଷଣା କରାଯାଇଛି। ବିଧାନସଭାରେ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏହି ନୀତିକୁ ଉପସ୍ଥାପନା କରିଥିଲେ। ୧ ଏପ୍ରିଲ ୨୦୨୬ ଠାରୁ ୩୧ ମାର୍ଚ୍ଚ ୨୦୨୯ ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହେବ। ପୂର୍ବରୁ ଚାଲୁଥିବା ବାର୍ଷିକ ଅବକାରୀ ନୀତି ପରିବର୍ତ୍ତେ ଏବେ ତ୍ରୈ-ବାର୍ଷିକ ଧାଞ୍ଚା ଆଣି ସରକାର ନୀତିରେ ସ୍ଥିରତା ଓ ସ୍ୱଚ୍ଛତା ଆଣିବାକୁ ଉଦ୍ୟମ କରିଛନ୍ତି। ତଥାପି ପରିସ୍ଥିତି ଅନୁଯାୟୀ ଏହାରେ ସଂଶୋଧନ କରିବା ପାଇଁ ବ୍ୟବସ୍ଥା ମଧ୍ୟ ରଖାଯାଇଛି।
ନୂତନ ନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେଲା ଅବକାରୀ ଶୁଳ୍କ ଉପରେ ୦.୫% ଡି-ଆଡିକ୍ସନ ସେସ୍ ପ୍ରଚଳନ। ଏହା ମାଧ୍ୟମରେ ମଦକୁ କ୍ଷତିକାରକ ପଦାର୍ଥ ଭାବେ ସ୍ୱୀକାର କରାଯାଇଛି। ଏହି ସେସ୍ ରୁ ଆସୁଥିବା ଅର୍ଥ ଡି-ଆଡିକ୍ସନ କେନ୍ଦ୍ର ସ୍ଥାପନ ଓ ସୁଦୃଢ଼ କରିବାରେ ବ୍ୟୟ ହେବ। ଏହାସହିତ ବିଭିନ୍ନ ଅବକାରୀ ଲାଇସେନ୍ସ ପାଇଁ ଆବେଦନ ଶୁଳ୍କ ୧୦% ବଢ଼ାଯାଇଛି। ଲାଇସେନ୍ସ ଶୁଳ୍କ ପ୍ରତିବର୍ଷ ୧୦ରୁ ୨୦% ପର୍ଯ୍ୟନ୍ତ ବୃଦ୍ଧି ପାଇବାକୁ ଥିବାବେଳେ IMFL ଓ ଦେଶୀ ମଦ ଉପରେ ମଧ୍ୟ ଅବକାରୀ ଶୁଳ୍କ ବଢ଼ାଯାଇଛି।
ନୂତନ ନୀତି ଅନୁସାରେ ନୂଆ OFF, CL କିମ୍ବା OS ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଯିବ ନାହିଁ। ବିଶେଷ କରି ଗ୍ରାମାଞ୍ଚଳରେ ନୂତନ ଦୋକାନ ଖୋଲାରେ ନିଷେଧ ଜାରି ରହିବ। ତେବେ ଶିଳ୍ପାଞ୍ଚଳର ୩-ତାରକା ଓ ତାହାଠାରୁ ଉପର ହୋଟେଲ୍ ଓ କ୍ଲବ୍ଗୁଡ଼ିକୁ ଛଡା ଯାଇଛି।
ଧାର୍ମିକ ଓ ସାଂସ୍କୃତିକ ଭାବନାକୁ ସମ୍ମାନ ଦେଇ ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ଓ ବଡ଼ଦାଣ୍ଡ ନିକଟରେ କୌଣସି ଅବକାରୀ ଦୋକାନ ଚାଲୁ ହେବ ନାହିଁ ବୋଲି ନୀତିରେ ସ୍ପଷ୍ଟ କରାଯାଇଛି। ଏହା ସହିତ ଘରକୁ ମଦ ଡିଲିଭେରି ବ୍ୟବସ୍ଥାକୁ ମଧ୍ୟ ଅନୁମତି ଦିଆଯାଇନି। ସରକାରଙ୍କ ଏହି ନୂତନ ଅବକାରୀ ନୀତି ରାଜ୍ୟରେ ମଦ ବ୍ୟବସ୍ଥାପନାକୁ ଶୃଙ୍ଖଳିତ କରିବା ସହିତ ସାମାଜିକ ଦାୟିତ୍ୱକୁ ମଧ୍ୟ ଗୁରୁତ୍ୱ ଦେବାରେ ଏକ ପ୍ରୟାସ ବୋଲି ମନାଯାଉଛି।