ଭୁବନେଶ୍ୱର: ଆଜି ପବିତ୍ର ଅଶୋକାଷ୍ଟମୀ। ଏକାମ୍ର କ୍ଷେତ୍ରର ରଥଦାଣ୍ଡରେ ଗଡ଼ିବ ଅଣଲେଉଟା ରୁକୁଣା ରଥ। ରଥରେ ଦର୍ଶନ ଦେବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ। ତାଙ୍କ ସହ ରଥରେ ବିରାଜିବେ ଶକ୍ତିସ୍ବରୂପିଣୀ ମା’ ରୁକ୍ମିଣୀ ଓ ପ୍ରଭୁ ବାସୁଦେବ। ଲକ୍ଷଲକ୍ଷ ଭକ୍ତଙ୍କ ସମାବେଶରେ ଉଛୁଳି ଉଠିବ ରଥଦାଣ୍ଡ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଅପେକ୍ଷାରେ ରହିଛି ରଥ। ଶ୍ରଦ୍ଧାଳୁମାନେ ସେହି ବ୍ରାହ୍ମ ମୁହୂର୍ଭକୁ ଚାହିଁ ରହିଛନ୍ତି, କେତେବେଳେ ଏକାମ୍ର ଅଧୂପତି ମନ୍ଦିରରୁ ବାହାରି ରଥରେ ବିରାଜମାନ କରିବେ। ଠାକୁରଙ୍କ ଏହି ଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି।
ଶ୍ରଦ୍ଧାଳୁମାନେ ସେହି ମୁହୂର୍ତ୍ତକୁ ଚାହିଁ ରହିଛନ୍ତି କେତେବେଳେ ଏକାମ୍ର ଅଧିପତି ମନ୍ଦିରରୁ ବାହାରି ରଥରେ ବିରାଜମାନ କରିବେ। ଦିନ ୧୦ଟା ୪୫ରୁ ପହଣ୍ଡି, ୨ଟା ୩୦ରେ ରଥଟଣା ନୀତି ଆରମ୍ଭ ହେବ। ରଥ କାଳିସ ଠାକୁରଙ୍କ ଆଜ୍ଞାମାଳ ପାଇବା ପରେ ଆରମ୍ଭ ହେବ ରଥ ଟଣା। ମୁଗ ଡାଲି, ଅନ୍ନ ଖାଇ ରଥକୁ ବିରାଜିବେ ପ୍ରଭୁ ଲିଙ୍ଗରାଜ। ପ୍ରଶାସନ ତରଫରୁ ଚଳିତବର୍ଷ ସଅଳ ନୀତି ନିର୍ଘଣ୍ଟ ନିର୍ଦ୍ଧାରଣ ହୋଇଛି।
ରଥାରୁଢ ଦିଅଁଙ୍କ ଦର୍ଶନ ଅନୁମତି ଦିନ ୧ଟା ୪୫ ଯାଏ ଦିଆଯିବ। ଅପରାହ୍ନ ସାଢେ ୨ଟା ସୁଧା ଘୋଡା ଯୋଚି ଚାରମାଳ ଖୋଲି ରଥଟଣା ଆରମ୍ଭ ହେବ। ରଥ କାଳିସୀ ଠାକୁରଙ୍କ ଆଜ୍ଞାମାଳ ପାଇବା ପରେ ବେତ ହଲାଇ ବିଭିନ୍ନ ଢଗ ଢମାଳି ଗାଇ ରଥ ଟାଣିବାକୁ ଶ୍ରଦ୍ଧାଳୁଙ୍କୁ ଆହ୍ଵାନ ଦେବେ। ସନ୍ଧ୍ୟା ସାଢେ ୬ଟାରେ ରାମେଶ୍ଵରରେ ଲାଗିବ ରଥ। ସେଠାରେ ଭେଟ ଆଳତୀ ପରେ ଠାକୁରଙ୍କ ଅବଶିଷ୍ଟ ନୀତି ହେବ।
ସୁରକ୍ଷା ନିମନ୍ତେ ୨ ଜଣ ଡିସିପି ଓ ୩ ଜଣ ଅତିରିକ୍ତ ଡିସିପିଙ୍କ ସମେତ ୧୬ ପ୍ଲାଟୁନ ଫୋର୍ସ ଜଗି ରହିବେ। ୧୩ ଜଣ ଇନ୍ସପେକ୍ଟର, ୩୦ ଜଣ ମହିଳା କନଷ୍ଟେବଲ, ୧୫ ଜଣ ଏସ୍ଆଇ ଓ ଏଏସ୍ଆଇ ମଧ୍ୟ ସୁରକ୍ଷା ଦାୟିତ୍ଵରେ ରହିବେ। ଶ୍ରଦ୍ଧାଳୁଙ୍କ ନିମନ୍ତେ କୁଟ୍ ପକ୍ଷରୁ ଅଧିକ ସଂଖ୍ୟକ ଆମ ବସ ବ୍ୟବସ୍ଥା ହୋଇଛି। ୱାଟକୋ ଓ ବିଏମ୍ସି ତରଫରୁ ପିଇବା ପାଣି, ବିଏମସି ହସ୍ପିଟାଲ ତରଫରୁ ଚିକିତ୍ସା ସେବା ବ୍ୟବସ୍ଥା ହୋଇଥିବାବେଳେ ଅଗ୍ନିଶମ ବିଭାଗ ପକ୍ଷରୁ ଜଳ ସିଞ୍ଚନ କରାଯିବ। ସେହିପରି ପ୍ରଥମ କରି ରୁକୁଣା ରଥଯାତ୍ରାର ସିଧାପ୍ରସାରଣ ଦୂରଦର୍ଶନ ତରଫରୁ କରାଯିବ।