ଭୁବନେଶ୍ୱର ଏବେ ପୂରା ଭାବେ ଭକ୍ତିମୟ ପରିବେଶ। ଆସନ୍ତାକାଲି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବିଶ୍ୱପ୍ରସିଦ୍ଧ ଅଶୋକାଷ୍ଟମୀ ଓ ରୁକୁଣା ରଥଯାତ୍ରା ପାଇଁ ଏକାମ୍ର କ୍ଷେତ୍ର ଚଳଚଞ୍ଚଳ ହୋଇଉଠିଛି।
ରଥଖଳାରେ ଶେଷ ପ୍ରସ୍ତୁତି
ରଥଖଳାରେ ଗୁଞ୍ଜୁଛି ନିହାଣ ଓ ମୁଗୁରର ଶବ୍ଦ…ଦିନରାତି ଏକ କରି ସେବାୟତମାନେ ରଥ ନିର୍ମାଣରେ ବ୍ୟସ୍ତ। ରଙ୍ଗ ଓ ତୂଳିର ଶେଷ ସ୍ପର୍ଶରେ ଜୀବନ୍ତ ହେଉଛି ରଥ। ୩ ସେବାୟତ ଦଳ ଲାଗିଛନ୍ତି ଶେଷ କାମରେ।
୫୦ ଫୁଟ୍ ଉଚ୍ଚର ଭବ୍ୟ ରଥ
ଏଥର ମହାପ୍ରଭୁଙ୍କ ପାଇଁ ପ୍ରସ୍ତୁତ ହେଉଛି
- ପ୍ରାୟ ୫୦ ଫୁଟ୍ ଉଚ୍ଚର ରୁକୁଣା ରଥ
- ନୂତନ କାଠ ଓ ନିପୁଣ କାରିଗରୀର ଛାପ
- ପାଶ୍ୱଦେବତା, ଘୋଡା ଓ ଅଳଙ୍କାରରେ ଅଦ୍ଭୁତ ସୌନ୍ଦର୍ଯ୍ୟ
- ରଥର ପ୍ରତ୍ୟେକ ଅଂଶରେ ଦେଖିବାକୁ ମିଳୁଛି ପାରମ୍ପରିକ ଶିଳ୍ପର ଚମତ୍କାର
କାହିଁକି ବିଶେଷ ‘ରୁକୁଣା’ ରଥ?
ଏହି ରଥକୁ କୁହାଯାଏ ‘ଅଣଲେଉଟା ରଥ’ ଅର୍ଥାତ୍ ଏହା ପଛକୁ ଫେରେ ନାହିଁ। ପ୍ରଭୁ ଲିଙ୍ଗରାଜ ଏହି ରଥରେ ଚଢ଼ି ମାଉସୀ ମା’ ଘର (ରାମେଶ୍ୱର ମନ୍ଦିର)କୁ ଯାତ୍ରା କରନ୍ତି।
ପୌରାଣିକ କଥାରେ ରହିଛି ଗଭୀର ମହତ୍ତ୍ୱ
କିମ୍ବଦନ୍ତୀ ଅନୁସାରେ, ପ୍ରଭୁ ଶ୍ରୀରାମ ରାବଣ ବଧ ପରେ ବ୍ରହ୍ମହତ୍ୟା ଦୋଷ ମୁକ୍ତି ପାଇଁ ଏକାମ୍ର କ୍ଷେତ୍ରକୁ ଆସି ଲିଙ୍ଗରାଜଙ୍କ ପୂଜା କରିଥିଲେ। ପରେ ବର ମାଗିଥିବାରୁ ଲିଙ୍ଗରାଜ ଏହି ଦିନ ଯାତ୍ରା କରନ୍ତି ବୋଲି ମନ୍ୟତା ରହିଛି। ଲୋକକଥାନୁସାରେ ମା’ ଭୁବନେଶ୍ୱରୀ ମଧ୍ୟ ଏହି ଯାତ୍ରାରେ ସହଭାଗୀ ହୋଇଥାନ୍ତି।
ଏଥର ରଥରେ ନୂଆ ଆକର୍ଷଣ
- ନୂଆ ଘୋଡ଼ା ଓ ପାର୍ଶ୍ୱ ଦେବଦେବୀ
- ନୂଆ ଶୁକ (ପକ୍ଷୀ) ଶିଳ୍ପ
- ନୂଆ ଦଧିନଉତି
ଦିନ ଯେତେ ଯେତେ ନିକଟ ଆସୁଛି, ରୁକୁଣା ରଥଯାତ୍ରା ପାଇଁ ଭକ୍ତମାନଙ୍କ ମନରେ ସେତେ ଉତ୍ସାହ ବଢୁଛି। ଏଥର ରୁକୁଣା ରଥଯାତ୍ରା ହେବ ଅଧିକ ଭବ୍ୟ ଯାହାକୁ ଦେଖିବାକୁ ଭକ୍ତମାନେ ଏବେଠାରୁ ଅପେକ୍ଷାରେ ରହିଛନ୍ତି।
କାଲିର ମୁଖ୍ୟ କାର୍ଯ୍ୟସୂଚୀ
- ଭୋର ୪ଟା: ନୀତିକାନ୍ତି ଆରମ୍ଭ
- ଅବକାଶ ଓ ମଙ୍ଗଳ ଆଳତି
- ଅପରାହ୍ନ ୩ଟା: ରଥ ଟଣା
୬ ଦିନ ହେବ ୫୦ତମ ଲିଙ୍ଗରାଜ ମହୋତ୍ସବ
ସେପଟେ ରୁକୁଣା ରଥଯାତ୍ରା ଅବସରରେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ପଞ୍ଚଦଶ ଲିଙ୍ଗରାଜ ମହୋତ୍ସବ ଆସନ୍ତା ମାର୍ଚ୍ଚ ୨୬ ରୁ ୩୧ ପର୍ଯ୍ୟନ୍ତ ୬ ଦିନ ଧରି ଆୟୋଜିତ ହେବ। ଏହି ଉତ୍ସବରେ ୭ ଶହରୁ ଅଧିକ କଳାକାର ଯୋଗଦେଇ ଓଡ଼ିଶା ଓ ପଡ଼ୋଶୀ ରାଜ୍ୟର ବିଭିନ୍ନ ପାରମ୍ପରିକ ଓ ଆଧୁନିକ ନୃତ୍ୟ ପରିବେଷଣ କରିବେ। ଗୁରୁ ଗଜେନ୍ଦ୍ର ପଣ୍ଡା, ଗୁରୁ ପ୍ରତିଭା ପଣ୍ଡାଙ୍କ ନେତୃତ୍ୱରେ ଓଡ଼ିଶା କଳାବିକାଶ କେନ୍ଦ୍ର ସହ ଅନ୍ୟାନ୍ୟ ପ୍ରସିଦ୍ଧ ସଂସ୍ଥାମାନେ ଯୋଗଦେବେ। ମୋଟ ୩୬ଟି ଦଳ ଏଥିରେ ଅଂଶଗ୍ରହଣ କରିବେ ବୋଲି ଜଣାପଡିଛି।