କନ୍ଧମାଳ: ନକ୍ସଲ ବିରୋଧୀ ଅଭିଯାନରେ ଏକ ବଡ଼ ସଫଳତା ହାସଲ କରିଛି ସୁରକ୍ଷା ବଳ। ଦୁଇ ମୋଷ୍ଟ ୱାଣ୍ଟେଡ ଟପ୍ ମାଓନେତା ଶୁକ୍ରୁ ଓ ପାପା ରାଓ ୨୩ ସହଯୋଗୀଙ୍କ ସହ ଆତ୍ମସମର୍ପଣ କରିଛନ୍ତି। ସେମାନେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ପୋଲିସ ନିକଟରେ ସରେଣ୍ଡର କରିଥିବାରୁ ଏହାକୁ ନକ୍ସଲ ବିରୋଧୀ ଲଢେଇରେ ଏକ ମାଇଲଷ୍ଟୋନ୍ ବୋଲି ଦେଖାଯାଉଛି।
ଆଣ୍ଟି ନକ୍ସଲ ଅପରେସନର ଏଡିଜି ସଞ୍ଜୀବ ପଣ୍ଡାଙ୍କ ଉପସ୍ଥିତିରେ ଆଜି ଆନୁଷ୍ଠାନିକ ଭାବେ ଶୁକ୍ରୁ ଓ ତାଙ୍କ ୫ ସହଯୋଗୀ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କୁ ଫୁଲ ଦେଇ ସ୍ୱାଗତ କରାଯାଇଥିଲା। ଅନ୍ୟପଟେ, ଛତିଶଗଡ଼ର ଜଗଦଲପୁରରେ ଗୃହମନ୍ତ୍ରୀ ବିଜୟ ଶର୍ମା ଓ ବସ୍ତର ଆଇଜି ପି. ସୁନ୍ଦରରାଜଙ୍କ ଉପସ୍ଥିତିରେ ପାପା ରାଓ ୧୮ ହାର୍ଡକୋର ମାଓବାଦୀଙ୍କ ସହ ସରେଣ୍ଡର କରିଛନ୍ତି।
କିଏ ଏହି ଶୁକ୍ରୁ?
୪୯ ବର୍ଷୀୟ ଶୁକ୍ରୁ ସିପିଆଇ (ମାଓବାଦୀ) ରାଜ୍ୟ କମିଟିର ସଦସ୍ୟ ଥିଲା। ତାଙ୍କ ମୁଣ୍ଡ ଉପରେ ୫୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷିତ ଥିଲା। ମାଲକାନଗିରି ଜିଲ୍ଲାର କାଲିମେଳା ଅଞ୍ଚଳରେ ତାଙ୍କ ଘର ଥିବାବେଳେ, ଗତ ୨୦ ବର୍ଷ ଧରି ସେ ଲାଲ ବାହିନୀରେ ସକ୍ରିୟ ଥିଲା।
୨୫ ବର୍ଷ ବୟସରେ ଘର ଛାଡ଼ି ସେ ମାଓ ସଂଗଠନରେ ଯୋଗ ଦେଇଥିଲା ଓ ଛତିଶଗଡ଼ର କଣ୍ଟା ଏରିଆ କମିଟିରୁ ତାଙ୍କ ଯାତ୍ରା ଆରମ୍ଭ ହୋଇଥିଲା। ପରେ ସେ ବହୁ ନକ୍ସଲ ଆକ୍ରମଣରେ ସମ୍ପୃକ୍ତ ଥିଲା। ତାଡମେଟଲା ଆକ୍ରମଣରେ ୭୬ ଯବାନ ସହିଦ ଘଟଣା
ଏବଂ ରାନୀବଗଲି କ୍ୟାମ୍ପ ଆକ୍ରମଣରେ ୫୦ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟଣା, ଏହି ଦୁଇଟି ଘଟଣାରେ ମଧ୍ୟ ଶୁକ୍ରୁର ଭୂମିକା ଥିବା କୁହାଯାଉଛି। ତାଙ୍କ ସ୍ତ୍ରୀ ରୁକ୍ମଣୀ ମଧ୍ୟ ମାଓ ସଂଗଠନର ACM କ୍ୟାଡର ଥିଲେ, ଯିଏ ୨୦୨୦ରେ ପୋଲିସ ଏନକାଉଣ୍ଟରରେ ମୃତ୍ୟୁବରଣ କରିଥିଲେ।
ନିର୍ଣ୍ଣାୟକ ଅବସ୍ଥାରେ ନକ୍ସଲ ବିରୋଧୀ ଲଢେଇ
ଆଣ୍ଟି ନକ୍ସଲ ଅପରେସନ ଏଡିଜି କହିଛନ୍ତି ଯେ, ରାଜ୍ୟରେ ନକ୍ସଲ ବିରୋଧୀ ଲଢେଇ ଏବେ ନିର୍ଣ୍ଣାୟକ ପର୍ଯ୍ୟାୟକୁ ପହଞ୍ଚିଛି। ଏପର୍ଯ୍ୟନ୍ତ ୨୩୯ ଜଣ ପୋଲିସ ଯବାନ ଏହି ଲଢେଇରେ ସହିଦ ହୋଇଛନ୍ତି। କନ୍ଧମାଳ ଜିଲ୍ଲାରେ ଏବେ ମାତ୍ର ୮ରୁ ୯ ଜଣ ନକ୍ସଲ ଅବଶିଷ୍ଟ ରହିଥିବା ସୂଚନା ମିଳିଛି। ଯେଉଁମାନେ ଅବଶିଷ୍ଟ ଅଛନ୍ତି, ସେମାନଙ୍କୁ ଆସନ୍ତା ମାର୍ଚ୍ଚ ୩୧ ପୂର୍ବରୁ ଆତ୍ମସମର୍ପଣ କରିବାକୁ ଆହ୍ୱାନ ଦିଆଯାଇଛି।
ବଡ଼ ଅପରେସନର ଫଳ
ଶୁକ୍ରୁକୁ ଧରିବା ପାଇଁ ଗତ କିଛି ଦିନ ଧରି ବଡ଼ ଅପରେସନ ଚାଲିଥିଲା ଓ ମାର୍ଚ୍ଚ ୩୧ ସୁଦ୍ଧା ତାଙ୍କୁ ଧରିବା ଟାର୍ଗେଟ୍ ରହିଥିଲା। ଶେଷରେ ସେ ଆତ୍ମସମର୍ପଣ କରିବା ସହ ସୁରକ୍ଷା ବଳକୁ ବଡ଼ ସଫଳତା ମିଳିଛି।