ଭୁବନେଶ୍ୱର: ଏସସିବି ଘଟଣାକୁ ନେଇ ଗୃହରେ ଅଚଳାବସ୍ଥା ଜାରି ରହିଛି । ଆଜି ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି । କଳା ଟି-ସାର୍ଟ ପିନ୍ଧି ବିରୋଧୀ ସଦସ୍ୟମାନେ ନାରାବାଜି କରିଛନ୍ତି ।
ବିଜେଡ଼ି ବିଧାୟକମାନେ ସବୁଦିନ ଭଳି ଆଜି ମଧ୍ୟ ଏକ ନିଆରା ଢଙ୍ଗରେ ପ୍ରତିବାଦ କରିଛନ୍ତି । କଳା ରଙ୍ଗର ଟି-ସାର୍ଟ ପିନ୍ଧି ଗୃହରେ ହଙ୍ଗମା କରିଛନ୍ତି ।ଯେଉଁଥିରେ ଲେଖାଯାଇଥିଲା ‘ଦୁର୍ବଳ ମୁଖ୍ୟମନ୍ତ୍ରୀ’ ଓ ‘ଶକ୍ତିଶାଳୀ ସ୍ୱାସ୍ଥ୍ୟ ମନ୍ତ୍ରୀ’ । ପ୍ରଶ୍ନ କାଳ ଆରମ୍ଭ ହେବା କ୍ଷଣି ବିରୋଧୀ ସଦସ୍ୟମାନେ ବାଚସ୍ପତିଙ୍କ ପୋଡ଼ିୟମ ନିକଟକୁ ଆସି ନାରାବାଜି କରିଥିଲେ । ଫଳରେ ବାଚସ୍ପତି ବାଧ୍ୟ ହୋଇ ପୁଣି ଥରେ ପ୍ରଶ୍ନକାଳକୁ ବାତିଲ କରିଥିଲେ । ଗତକାଲି ମଧ୍ୟ ଦିନ ତମାମ ଗୃହ କାର୍ଯ୍ୟ ସ୍ଥଗିତ ରହିଥିଲା ।
ଏହା ପରେ ବିରୋଧୀ ସଦସ୍ୟମାନେ ବିଧାନସଭା ପରିସରରେ ସ୍ଲୋଗାନ ଦେଇଥିଲେ । ସ୍ୱାସ୍ଥ୍ୟ ମନ୍ତ୍ରୀ ଏବଂ ଏସସିବି ହସ୍ପିଟାଲର ସୁପରିଣ୍ଟେଣ୍ଡେଣ୍ଟଙ୍କ ଇସ୍ତଫା ଦାବି କରିଛନ୍ତି । ଶକ୍ତିଶାଳୀ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଯୋଗୁଁ ମୁଖ୍ୟମନ୍ତ୍ରୀ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁ ନାହାଁନ୍ତି ବିଜେଡ଼ି କହିଛି । ଯେତେବେଳେ ସମ୍ ହସ୍ପିଟାଲରେ ଅଗ୍ନିକାଣ୍ଡ ହୋଇଥିଲା ତତ୍କାଳୀନ ସ୍ୱାସ୍ଥ୍ୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଇସ୍ତଫା ଦେଇଥିଲେ । ତେଣୁ କାହିଁକି ସ୍ୱାସ୍ଥ୍ୟ ମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଉ ନାହାଁନ୍ତି ବୋଲି ବିଜେଡ଼ି ପ୍ରଶ୍ନ କରିଛି ।
କୋଟି କୋଟି ଟିକସଦାତାଙ୍କ ଟଙ୍କାରେ ଚାଲୁଥିବା ବିଧାନସଭା ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଛି । ଲୋକଙ୍କ ସ୍ୱାର୍ଥ ପାଇଁ ଆଲୋଚନା କମ୍ ନିଜ ଦଳର ଶକ୍ତି ପ୍ରଦର୍ଶନ ଅଧିକ କରାଯାଉଛି । ଶାସକ ଏବଂ ବିରୋଧୀଙ୍କ ମଧ୍ୟରେ ବଳି ପଡ଼ିଯାଇଛି ଲୋକଙ୍କ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ । ବଜେଟ୍ ଅଧିବେଶନରେ ଦୁଇଟି ପର୍ଯ୍ୟାୟରେ ପ୍ରଶ୍ନ କାଳ ବିଲକୁଲ ଚାଲି ପାରୁନାହିଁ । ଫଳରେ ଟିଭି ଖୋଲି ବସୁଥିବା ଦର୍ଶକମାନେ ନିରାଶ ହେଉଛନ୍ତି । ଯାହାକୁ ନେଇ ଅସନ୍ତୋଷ ମଧ୍ୟ ଦେଖା ଦେଇଛି ।