ବାଲେଶ୍ୱର: ଶ୍ରୀରାମ ନବମୀ ପାଳନକୁ ନେଇ ବାଲେଶ୍ୱର ସହରରେ ପୋଲିସ ପ୍ରଶାସନ ପୂର୍ଣ୍ଣ ଆଲର୍ଟ ମୋଡ୍ରେ ରହିଛି। ଶାନ୍ତି ଓ ଶୃଙ୍ଖଳା ରକ୍ଷା ପାଇଁ ସହରର ରାସ୍ତାରେ ଦେଖିବାକୁ ମିଳିଛି ଜୋରଦାର ଫ୍ଲାଗ୍ ମାର୍ଚ୍ଚ। ଏସପି ପ୍ରତ୍ୟୁଷ ଦିବାକରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପୋଲିସ ଓ Border Security Force (BSF) ମିଶି ଫ୍ଲାଗ୍ ମାର୍ଚ୍ଚ କରିଥିଲେ। ଟାଉନ୍ ଥାନାରୁ ଆରମ୍ଭ ହୋଇ ସିନେମା ଛକ, ଟାଉନହଲ୍, ମୀର୍ଜାପୋଖରୀ, ମଣ୍ଡଳବଜାର, ଦାମୋଦରପୁର ଓ ସୁନହଟ ଭଳି ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ଦେଇ ଏହି ମାର୍ଚ୍ଚ ଗଡ଼ଗଡ଼ିଆ ଛକରେ ଶେଷ ହୋଇଥିଲା।
କଡ଼ା ବ୍ୟବସ୍ଥା: ୨୦ ପ୍ଲାଟୁନ୍ ଫୋର୍ସ ମୁତୟନ
ପର୍ବ ସମୟରେ କୌଣସି ଅନୁଚିତ ଘଟଣା ରୋକିବା ପାଇଁ ଟାଉନ୍ ଥାନା ଓ ସହଦେବଖୁଣ୍ଟା ଅଞ୍ଚଳରେ ୨୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯିବ। ସେଥିପାଇଁ ସୋର ଓ ଜଳେଶ୍ୱର ଭଳି ସେନସିଟିଭ୍ ଅଞ୍ଚଳରେ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହେଉଛି।
ଡିଜେ ଉପରେ ଲାଗିଲା କଟକଣା
ଏହି ବର୍ଷ ରାମନବମୀ ପାଳନ ବେଳେ କୌଣସି ପ୍ରକାର ଡିଜେ ବ୍ୟବହାରକୁ ସଂପୂର୍ଣ୍ଣ ନିଷେଧ କରାଯାଇଛି। ପର୍ବକୁ ଶାନ୍ତିପୂର୍ଣ୍ଣ ଭାବରେ ପାଳନ କରିବାକୁ ପୋଲିସ ଆହ୍ୱାନ ଜଣାଇଛି।
ଶ୍ରୀରାମ ନବମୀ ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ରାମନବମୀ ପାଳନ ବେଳେ ସାରା ରାଜ୍ୟରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ ପ୍ରଶାସନକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।ଶ୍ରୀରାମ ନବମୀ ଭାବରେ ସାରା ଦେଶରେ ଅତ୍ୟନ୍ତ ଭକ୍ତି ଓ ଶ୍ରଦ୍ଧାର ସହ ପାଳିତ ହୋଇଥାଏ। ଆଧ୍ୟାତ୍ମିକତାର ଏହି ପର୍ବରେ ଓଡ଼ିଶାରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ଯେପରି ବିନା କୌଣସି ଦ୍ୱିଧାରେ ସମ୍ପୂର୍ଣ୍ଣ ଭାବେ ଶାନ୍ତିର ସହ ପାଳନ କରିବେ ତାହା ସୁନିଶ୍ଚିତ କରିବା ପୋଲିସ ପ୍ରଶାସନର ଦାୟିତ୍ୱ। ତେଣ, ଏହି ସମୟରେ ସମସ୍ତେ ଯେପରି ସୁରୁଖୁରୁରେ ପର୍ବ ପାଳନ କରିବେ, ସେଥିପ୍ରତି ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ।