ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ବିଜୁ-ନବୀନ ଟ୍ରଷ୍ଟର ବେନାମୀ ପୋଷ୍ଟର ଲାଗିଛି । କାହା ସ୍ୱାର୍ଥରେ ବିଜୁ-ନବୀନ ଟ୍ରଷ୍ଟ ହୋଇଛି ତାହାର ଜବାବ ଦେବାକୁ ନବୀନଙ୍କୁ କୁହାଯାଇଛି । ଯେଉଁଥିପାଇଁ ରାଜନୈତିକ ମହଲରେ ଆଲୋଡ଼ନ ସୃଷ୍ଟି ହୋଇଛି ।
ଅନ୍ୟପକ୍ଷରେ ଏହା ବିଜେପି ଇଙ୍ଗିତରେ କରାଯାଇଥିବା ବିଜେଡ଼ି ଅଭିଯୋଗ କରିଛି । ବିଧାୟକ ଧ୍ରୁବ ସାହୁ କହିଛନ୍ତି ଯେ ନବୀନ ପଟ୍ଟନାୟକ ଏବଂ ତାଙ୍କ ପରିବାରକୁ ତ୍ୟାଗ ପାଇଁ ଓଡ଼ିଶାବାସୀ ଜାଣିଛନ୍ତି । କଟକରେ ଥିବା ପୈତୃକ ସମ୍ପତ୍ତିକୁ ରାଜ୍ୟ ସରକାରଙ୍କୁ ଦାନ କରିଦେଇଛନ୍ତି । ନବୀନ ପଟ୍ଟନାୟକଙ୍କ ଦେହରେ ଯେତେ ଚେଷ୍ଟା କଲେ ମଧ୍ୟ କଳା ଦାଗ ଲଗାଇ ପାରିବେ ନାହିଁ । ଚକ୍ରାନ୍ତକାରୀଙ୍କ ସମସ୍ତ ଚକ୍ରାନ୍ତ ପଣ୍ଡ ହେବ । ତେଣୁ ଏହି ପୋଷ୍ଟର ଚକ୍ରାନ୍ତକାରୀ ମାନେ ମାରିଛନ୍ତି । ବିଜେପିର ସହଯୋଗରେ ପୋଷ୍ଟର୍ ମରାଯାଇଥିବା ଧ୍ରୁବ ସାହୁ ଅଭିଯୋଗ କରିଛନ୍ତି । ତିନି ମାସ ପୂର୍ବରୁ ଚକ୍ରାନ୍ତ କରିଥିବା ସ୍ୱୀକାର କରିଛନ୍ତି । ତେଣୁ ଚକ୍ରାନ୍ତକାରୀଙ୍କ କାମ ହେଉଛି ଚକ୍ରାନ୍ତ କରିବା ।
ଉଲ୍ଲେଖ ଯୋଗ୍ୟ, ଗତକାଲି ବିଜେପି ବିଧାୟକ ପଦ୍ମଲୋଚନ ପଣ୍ଡା ଟ୍ରଷ୍ଟ ବିରୁଦ୍ଧରେ ତଦନ୍ତ ଦାବି କରିଥିଲେ । ଟ୍ରଷ୍ଟରେ ଯେଉଁ ଉପ-ଆଇନ ରହିଛି ତାହାକୁ ଗୁପ୍ତଭାବରେ ତିଆରି କରାଯାଇଛି । ଏହି ଉପ-ଆଇନରେ ରହିଛି ଟ୍ରଷ୍ଟର ପଇସା କେବଳ ଦିଲ୍ଲୀରେ ଖର୍ଚ୍ଚ ହୋଇପାରିବ । ନବୀନ ବାବୁ ଓଡ଼ିଶାରୁ ଯେଉଁ କଳାଧନ ସଂଗ୍ରହ କରିଛନ୍ତି ସେହି 4 ହଜାର କୋଟି ଟଙ୍କାକୁ ଧଳାରେ ପରିଣତ କରି କେବଳ ଦିଲ୍ଲୀରେ ଖର୍ଚ୍ଚ କରିପାରିବେ । ତେଣୁ ଏହାର ତଦନ୍ତ ହେବା ଉଚିତ, କହିଛନ୍ତି ପଦ୍ମଲୋଚନ ।