ନୂଆଦିଲ୍ଲୀ: ତିନି ଥରର ଆଇପିଏଲ୍ ଚାମ୍ପିଅନ କୋଲକାତା ନାଇଟ୍ ରାଇଡର୍ସ ନିଜର ବଡ ଖେଳାଳି ଆନ୍ଦ୍ର ରସେଲଙ୍କ ସମ୍ମାନରେ ତାଙ୍କର ୧୨ ନମ୍ବର ଜର୍ସିକୁ ସବୁ ଦିନ ପାଇଁ ଅବସର ଦେଇଛନ୍ତି । ଟିମର କୌଣସି ଖେଳାଳି ଏବେ ଆଉ ୧୨ ନମ୍ବର ଜର୍ସିରେ ନଜର ଆସିବେ ନାହିଁ । ୱେଷ୍ଟଇଣ୍ଡିଜର ତାରକା ଅଲରାଉଣ୍ଡର ଆନ୍ଦ୍ର ରସେଲ ଆଇପିଏଲରେ କେକେଆର ସହିତ ଦୀର୍ଘ ସମୟ ଧରି ରହିଥିଲେ । କେକେଆର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆନ୍ଦ୍ରେ ରସେଲଙ୍କ ଜର୍ସିକୁ ରିଟାୟର କରିଛନ୍ତି । ଏହି ସମୟରେ ଫ୍ରାଞ୍ଚାଇଜର ସିଇଓ ଭେଙ୍କି ମହୀଶୂର ଫ୍ରେମ କରାଇ ଆନ୍ଦ୍ରେ ରସେଲକୁ ଜର୍ସିର ୧୨ ନମ୍ବର ପ୍ରଦାନ କରିଛନ୍ତି ।
ଆନ୍ଦ୍ରେ ରସେଲ ୨୦୧୪ରୁ କବେଳ ଗୋଟିଏ ସିଜିନକୁ ଛାଡି ୨୦୨୫ ପର୍ଯ୍ୟନ୍ତ ଲଗାତାର କେକେଆର ପକ୍ଷରୁ ଖେଳି ଆସିଛନ୍ତି । ୨୦୧୭ରେ ସେ ଡୋପିଂ କାରଣରୁ ଗୋଟିଏ ବର୍ଷ ବ୍ୟାନର ସମ୍ମୁଖୀନ ହୋଇଥିଲେ । ଏଥିପାଇଁ ସେ ଉକ୍ତ ବର୍ଷ ଆଇପିଏଲ୍ ଖେଳି ପାରି ନ ଥିଲେ । ସେ ଆଇପିଏଲରେ ଦିଲ୍ଲୀ ଡେୟାର ଡେଭିଲ୍ସ ପକ୍ଷରୁ ପଦାର୍ପଣ କରିଥିଲେ । ସେ ୨୦୧୨ ଓ ୨୦୧୩ରେ ଦିଲ୍ଲୀ ଡେୟାର ଡେଭିଲ୍ସ ପକ୍ଷରୁ ଖେଳିଥିଲେ । ଏହା ପରଠୁ ସେ କେକେଆରର ପ୍ରମୁଖ ସଦସ୍ୟ ଭାବେ ରହି ଆସିଛନ୍ତି । ଆଇପିଏଲ୍ ୨୦୨୬ରେ ସେ ଟିମର ସପୋର୍ଟ ଷ୍ଟାଫ ଭୂମିକାରେ ରହିବେ । ସେ ଖେଳାଳିଙ୍କୁ କେମିତି ପାୱାର ହିଟିଂ କ୍ଷମତା ବଢାଇବାକୁ ପଡିବ ସେ ବିଷୟରେ କୋଚିଂ ଦେବେ ।
ଏକ କାର୍ଯ୍ୟକ୍ରମରେ କେକେଆରର ସିଇଓ ମହୀଶୂର କହିଛନ୍ତି ଯେ, ଆନ୍ଦ୍ରେ ରସେଲଙ୍କ ସହିତ ଆମର ଦୀର୍ଘ ସମୟ ସଂପର୍କ ରହିଛି । କେବଳ କେକେଆର ସ୍ତରରେ ନୁହେଁ ବରଂ ବ୍ୟକ୍ତିଗତ ଭାବେ ରହିଛି । ପଡିଆରେ ବର୍ଷ ବର୍ଷ ଧରି ସେ ଆମକୁ ମନୋରଞ୍ଜନ କରିବା ଉତ୍ସବ ପାଳିବାକୁ ସୁଯୋଗ ଦେଇଛନ୍ତି । ସେ ସର୍ବଦା ଗର୍ବର ସହିତ ୧୨ ନମ୍ବର ଜର୍ସି ପିନ୍ଧୁଥିଲେ । ଏଥିପାଇଁ ଆମର ତାଙ୍କର ୧୨ ନମ୍ବର ଜର୍ସିକୁ ସବୁ ଦିନ ପାଇଁ ଅବସର ଦେଉଛୁ ।