ନୂଆଦିଲ୍ଲୀ: ଇଂଲଣ୍ଡ ବ୍ୟାଟର ଆଇପିଏଲ୍ ୨୦୨୬ ଆରମ୍ଭ ହେବା ପୂର୍ବରୁ ନେଇଛନ୍ତି ବଡ଼ ନିଷ୍ପତ୍ତି। ଇଂଲିଶ କ୍ରିକେଟର ବେନ୍ ଡକେଟ IPL ୨୦୨୬ରୁ ଓହରି ଯାଇଛନ୍ତି। ସେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳିବା ସହ କେଏଲ ରାହୁଲଙ୍କ ସହ ଇନିଂସ ଓପନ କରିବାର ସମ୍ଭାବନା ଥିଲା। କିନ୍ତୁ ସେ ସ୍ପଷ୍ଟ କରିଛନ୍ତି ଯେ ସେ IPL ୨୦୨୬ ଖେଳିବେ ନାହିଁ। ଏହି ନିଷ୍ପତ୍ତି ଫଳରେ ଇଣ୍ଡିଆନ୍ ପ୍ରିମିୟର ଲିଗରୁ ସେ ଦୁଇ ବର୍ଷ ପାଇଁ ବାସନ୍ଦ ହେବେ।
ଦିଲ୍ଲୀ କ୍ୟାପିଟାଲ୍ସ ମିନି-ନିଲାମରେ ବେନ୍ ଡକେଟଙ୍କୁ ୨ କୋଟିରେ କିଣିଥିଲା। BCCI 2025 ମେଗା ନିଲାମ ପୂର୍ବରୁ ଏକ ନିୟମ ଲାଗୁ କରିଥିଲା। ସେହି ନିୟମ ଅନୁସାରେ ଡକେଟ ସିଜିନ୍ ପୂର୍ବରୁ ତାଙ୍କ ନାମ ପ୍ରତ୍ୟାହାର କରିନେଇଛନ୍ତି। ତେଣୁ ସେ ଆଗାମୀ ଦୁଇ ବର୍ଷ ପାଇଁ ନିଲାମରେ ଅଂଶଗ୍ରହଣ କରିପାରିବେ ନାହିଁ କି ଆଇପିଏଲ୍ ଖେଳି ପାରିବେ ନାହିଁ।
ବେନ୍ ଡକେଟ ଏକ ବିବୃତ୍ତି ଜାରି କରି କହିଛନ୍ତି, IPL ରୁ ଓହରି ଯିବା ମୋ ପାଇଁ ବହୁତ କଷ୍ଟକର ନିଷ୍ପତ୍ତି ଥିଲା। ମୁଁ ବହୁ ବିଚାର କରିବା ପରେ ଏହି ନିଷ୍ପତ୍ତି ନେଇଛି ଏବଂ ଏହା ମୋ ପାଇଁ ଏକ ସହଜ ନିଷ୍ପତ୍ତି ନଥିଲା।
ସେ କହିଛନ୍ତି ଯେ ଇଂଲଣ୍ଡ ପାଇଁ ଖେଳିବା ତାଙ୍କର ପିଲାଦିନର ସ୍ୱପ୍ନ ଥିଲା ଏବଂ ସେ ଗ୍ରୀଷ୍ମ ଋତୁ ଆସିବା ପୂର୍ବରୁ ମାନସିକ ଏବଂ ଶାରୀରିକ ଭାବରେ ସୁସ୍ଥ ହେବାକୁ ଚାହାଁନ୍ତି ଯାହା ଦ୍ଵାରା ସେ ଇଂଲଣ୍ଡ ପାଇଁ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିପାରିବେ। ସେ ଦିଲ୍ଲୀ କ୍ୟାପିଟାଲ୍ସ ଦଳ ଏବଂ ଏହାର ପ୍ରଶଂସକଙ୍କ ନିକଟରେ କ୍ଷମା ପ୍ରାର୍ଥନା ମଧ୍ୟ କରିଛନ୍ତି। ଉଲ୍ଲେଖନୀୟ କିଛି ମାସ ପୂର୍ବେ ଆସେସ୍ ସିରିଜରେ ବେନ୍ ଡକେଟଙ୍କ ପ୍ରଦର୍ଶନ ନିରାଶାଜନକ ଥିଲା। ସେ ୧୦ ଇନିଂସରେ ୨୦.୨୦ ହାରରେ ମାତ୍ର ୨୦୨ ରନ୍ କରିପାରିଥିଲେ।
ବେନ୍ ଡକେଟଙ୍କ ବିଦାୟ ପରେ ମଧ୍ୟ, ଦିଲ୍ଲୀ କ୍ୟାପିଟାଲ୍ସ ପାଖରେ ଇନିଂସ ଓପନିଂ ପାଇଁ ଅନେକ ବିକଳ୍ପ ରହିଛି। ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ ପ୍ରଶିକ୍ଷକ ହେମାଙ୍ଗ ବଦାନୀ ସ୍ପଷ୍ଟ କରିଛନ୍ତି ଯେ ଏଥର କେଏଲ ରାହୁଲ ଇନିଂସ ଓପନ କରିବେ। ତାଙ୍କ ସହିତ ସାଥୀ ହେବା ପାଇଁ ଅଭିଷେକ ପୋରେଲ, ପୃଥ୍ୱୀ ଶ ଏବଂ ପଥୁମ୍ ନିସାଙ୍କା ମଧ୍ୟ ଦଳରେ ଅଛନ୍ତି।