ଭୁବନେଶ୍ୱର: ଗୋଟିଏ ସମୟରେ ଜନଗଣନା ତାଲିମ ଏବଂ ମାଟ୍ରିକ ଖାତା ମୂଲ୍ୟାୟନକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଶିକ୍ଷକ । ତେଣୁ ମାଟ୍ରିକ୍ ଖାତା ମୂଲ୍ୟାଙ୍କନ ପରେ ଜନଗଣନା ତାଲିମ ଦେବାକୁ ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ମାଜିଷ୍ଟ୍ରେଟଙ୍କୁ ଚିଠି ଲେଖିଛନ୍ତି ।
ବର୍ତ୍ତମାନ ରାଜ୍ୟରେ ମାଟ୍ରିକ ଖାତା ମୂଲ୍ୟାଙ୍କନ ଚାଲିଛି । ମାର୍ଚ୍ଚ ୧୯ ତାରିଖରୁ ଆରମ୍ଭ ହୋଇଥିବା ଖାତା ଦେଖା ପ୍ରକ୍ରିୟା ଏପ୍ରିଲ ୨ ତାରିଖରେ ଶେଷ ହେବ । ଏହି ସମୟରେ ଜନଗଣନା ତାଲିମ ମଧ୍ୟ ଜାରି ରହିଛି । ଏଥିପାଇଁ ଶିକ୍ଷକମାନେ ଚିନ୍ତାରେ ପଡ଼ିଛନ୍ତି । ଯେଉଁ ଶିକ୍ଷକମାନେ ଜନଗଣନା ଡ୍ୟୁଟିରେ ନିଯୁକ୍ତ ହୋଇଛନ୍ତି ସେମାନେ ମାଟ୍ରିକ୍ ଖାତା ଦେଖାରେ ମଧ୍ୟରେ ନିଯୁକ୍ତ ହୋଇଛନ୍ତି । ତେଣୁ ଗୋଟିଏ ସମୟରେ ଦୁଇଟି କାମ ଚାଲିଥିବାରୁ ଶିକ୍ଷକମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଜନଗଣନା ଦେଶର ଗୁରୁତ୍ୱପୂର୍ଣ୍ଣ କାମ । ସେହିପରି ସମୟ ଅନୁସାରେ ପିଲାଙ୍କ ମାଟ୍ରିକ ପରୀକ୍ଷା ଫାଳଫଳ ପ୍ରକାଶ ପାଇବା ମଧ୍ୟ ଆହୁରି ଗୁରୁତ୍ୱପୂର୍ଣ୍ଣ । ଯଦି ମାଟ୍ରିକ ଫଳାଫଳ ବାହାରିବାରେ ବିଳମ୍ବ ହୁଏ ତେବେ ପିଲାମାନେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ବୋଲି ବୋର୍ଡ କହିଛି । ଏହାକୁ ଦୃଷ୍ଟିରେ ରଖି ଯେଉଁ ଶିକ୍ଷକମାନେ ମାଟ୍ରିକ ଖାତା ମୂଲ୍ୟାୟନରେ ନିୟୋଜିତ ହୋଇଛନ୍ତି ସେମାନଙ୍କ ପାଇଁ ଏପ୍ରିଲ ୨ ତାରିଖ ପରେ ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ଜନଗଣନା ତାଲିମ ଦେବାକୁ ବିଏସଇ ଚିଠିରେ ଅନୁରୋଧ କରିଛି ।