ନୂଆଦିଲ୍ଲୀ: ଦେଶର ପ୍ରଥମ ଇଚ୍ଛା ମୃତ୍ୟୁ ନେଇଥିବା ୩୨ ବର୍ଷିୟ ହରିଶ ରାଣାଙ୍କ ଶେଷ କୃତ୍ୟ ସମ୍ପନ୍ନ ହୋଇଛି । ବୁଧବାର ସକାଳ ୯ଟା ସମୟରେ ଦକ୍ଷିଣ ଦିଲ୍ଲୀସ୍ଥିତ ଗ୍ରୀନ ପାର୍କ ଶ୍ମଶାନରେ ହରିଶଙ୍କୁ ଲୁହ ଭିଜା ଆଖିରେ ଅନ୍ତିମ ବିଦାୟ ଦେଇଛନ୍ତି ପୂରା ପରିବାର । ଭଉଣୀ ଭାବନାଙ୍କ ଉପସ୍ଥିତିରେ ସାନ ଭାଇ ଆଶୀଷ ମୁଖାଗ୍ନି ଦେଇଛନ୍ତି ।
ଅନ୍ତିମ ଯାତ୍ରା ବେଳେ ବହୁତ ଶୋକାକୁଳ ପରିବେଶ ଥିଲା । ବାପା ଅଶୋକ ରାଣା ଏବଂ ମାଆ ନିର୍ମଲା ଦେବୀ ହାତ ଯୋଡ଼ି ପୁଅକୁ ବିଦାୟୀ ଦେଇଥିଲେ ଏବଂ କହିଥିଲେ ତାଙ୍କ ପୁଅ ଏବେ ଶାନ୍ତି ସ୍ଥାନରେ ରହିଛି ଏବଂ ସେ ସବୁବେଳେ ଗୋଟିଏ ଭଲ ପୁଅ ରହିଆସିଛି । ଏହି ସମୟରେ ସେମାନଙ୍କ ଶୁଭଚିନ୍ତକମାନେ ମଧ୍ୟ ଉପସ୍ଥିତ ଥିଲେ ।
ଖାଲି ସେତିକି ନୁହେଁ ମୃତ୍ୟୁ ପରେ ମଧ୍ୟ ହରିଶ ଅମର ହୋଇ ରହିଯାଇଛନ୍ତି । ପରିବାର ପୁଅ ହରିଶର ଚକ୍ଷୁ ଦାନ କରିଥିବା ବ୍ରହ୍ମକୁମାରୀ ସଂସ୍ଥାର ଜଣେ ଭଉଣୀ ସୂଚନା ଦେଇଛନ୍ତି ।
ଗାଜିୟାବାଦର ରାଜ ଏମ୍ପାୟାର ସୋସାଆଇଟି ବାସିନ୍ଦା ହରିଶ ରାଣା ଦୀର୍ଘ ୧୩ ବର୍ଷ ହେବ ଶଯ୍ୟାଶାୟୀ ଥିଲେ । ହରିଶ ରାଣା ଭାରତର ପ୍ରଥମ ବ୍ୟକ୍ତି ଥିଲେ ଯିଏ ଇଚ୍ଛାମୃତ୍ୟୁ ପାଇଥିଲେ। ୨୦୧୩ରେ ପଞ୍ଜାବ ବିଶ୍ୱବିଦ୍ୟାଳୟରେ ବି.ଟେକ୍ ପଢ଼ୁଥିବାବେଳେ ଚତୁର୍ଥ ମହଲାରୁ ଖସି ପଡ଼ି ଗୁରୁତର ଆହତ ହୋଇଥିଲେ । ତାଙ୍କର ମସ୍ତିସ୍କରେ ଗଭୀର ଆଘାତ ଯୋଗୁଁ ସେ କୋମାକୁ ଚାଲିଯାଇଥିଲେ । ସେବେଠାରୁ ବୃଦ୍ଧ ପିତା-ମାତା ତାଙ୍କର ସମସ୍ତ ସେବା କରୁଥିଲେ । ସମସ୍ତ ଚିକିତ୍ସା ବିଜ୍ଞାନ ବିଫଳ ହେବା ପରେ ପରିବାର ହରିଶଙ୍କ ଇଚ୍ଛା ମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ସୁପ୍ରିମକୋର୍ଟ ଆବେଦନକୁ ମଞ୍ଜୁର କରି ଏକ ସମ୍ମାନ ଜନକ ମୃତ୍ୟୁ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ଦିଲ୍ଲୀ ଏମ୍ସକୁ ହରିଶଙ୍କୁ ସ୍ଥାନାନ୍ତର କରାଯାଇଥିଲା । ସୁପ୍ରିମକୋର୍ଟ ନିର୍ଦ୍ଦେଶ ମୁତାବକ ସମସ୍ତ ପ୍ରକ୍ରିୟା କରାଯାଇଥିଲା । ପ୍ରାୟ ଏକ ସପ୍ତାହର ପ୍ରକ୍ରିୟା ପରେ ହରିଶ ଦୁନିଆରୁ ବିଦାୟ ନେଇଥିଲେ ।