ନୂଆଦିଲ୍ଲୀ: ଭାରତୀୟ ଜାତୀୟ କଂଗ୍ରେସ(ଆଇଏନସି)କୁ ୨୪ ଆକବର ରୋଡରେ ସ୍ଥିତ ନିଜର ପୁରୁଣା ଅଫିସ ଯଥା ଶୀଘ୍ର ଖାଲି କରିବାକୁ ପଡିବ । ରିପୋର୍ଟ ମୁତାବକ ପାର୍ଟିକୁ ସରକାରଙ୍କ ତରଫରୁ ଅଫିସ ଖାଲି କରିବାକୁ ନୋଟିସ୍ ମିଳିଛି । ମାର୍ଚ୍ଚ ୨୮ ସୁଦ୍ଧା ଏହାକୁ ଖାଲି କରିବାକୁ କୁହାଯାଇଛି । ଉଲ୍ଲେଖନୀୟ କଂଗ୍ରେସ ପାର୍ଟିର ଏହି ଦପ୍ତର ୧୯୭୮ରୁ ଲୁଟିୟନ୍ସ ଜୋନରେ ଅବସ୍ଥିତ ।
ଟାଇମ୍ସ ଅଫ ଇଣ୍ଡିଆର ଖବର ଅନୁଯାୟୀ, ଭାରତୀୟ ଯୁବ କଂଗ୍ରେସର ୫ ରାୟସୀନା ରୋଡ୍ ସ୍ଥିତ ଅଫିସ୍ ପାଇଁ ମଧ୍ୟ ଏହି ସମୟ ସୀମାରେ ଖାଲି କରିବକାୁ ନୋଟିସ୍ ଜାରି କରାଯାଇଛି । ହେଲେ ପାର୍ଟି ଏହା ବିରୋଧରେ ଏବଂ କୌଣସି ପ୍ରକାରର ବଳପୂର୍ବକ ଉଚ୍ଛେଦକୁ ରୋକିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେବ ବୋଲି କୁହାଯାଉଛି ।
ତେବେ ପାର୍ଟି ନିଜର ସମସ୍ତ କାମ ଆଇଟିଓ ନିକଟସ୍ଥ ନିଜର ନୂଆ ମୁଖ୍ୟାଳୟ ଇନ୍ଦିରା ଭବନକୁ ସିଫ୍ଟ କରି ସାରିଛି । ତଥାପି ପାର୍ଟି ଆକବର ରୋଡ୍ ସ୍ଥିତ ଦପ୍ତରକୁ ନିଜ ପାଖରେ ରଖିଥିଲା । ଏହି ଅଫିସର ଏକ ପ୍ରତୀକାତ୍ମକ ଓ ରାଜନୈତିକ ମହତ୍ୱ ରହିଛି । ପାର୍ଟିର ଶୀର୍ଷ ନେତାମାନଙ୍କ ମତରେ ଆକବର ରୋଡ୍ ବିଶିଷ୍ଟ ସଂପତ୍ତି ସଂଗଠନର ଇତିହାସର ଏକ ମହତ୍ୱପୂର୍ଣ୍ଣ ଅଂଶ । ପାର୍ଟି ଏହା ମଧ୍ୟ କହିଛି ଯେ, କଂଗ୍ରେସ ଏହି ବଙ୍ଗଳା ପାଇଁ ବଜାର ମୂଲ୍ୟ ପରି ଭଡା ମଧ୍ୟ ଦେଉଛି ।
ସରକାରଙ୍କ ଖାଲି କରିବା ନୋଟିସର ସମାଲୋଚନା କରିଛି ପାର୍ଟି । କଂଗ୍ରେସ ସାଂସଦ ତଥା ବରିଷ୍ଠ ଓକିଲ ଅଭିଷେକ ମନୁ ସିଙ୍ଘଭି କହିଛନ୍ତି ସରକାରଙ୍କ ଏହି ପଦକ୍ଷେପ ବେଆଇନ ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ । ଅଫିସର ଉଚ୍ଛେଦକୁ ରୋକିବା ପାଇଁ ପାର୍ଟି ସମସ୍ତ ପ୍ରକାରର ଆଇନଗତ ବିକଳ୍ପ ବ୍ୟବହାର କରିବ । କୋର୍ଟରେ ସରକାରଙ୍କୁ ଘେରାଯିବ ବୋଲି ସିଙ୍ଘଭି କହିଛନ୍ତି ।
Also Read: ଦୁଷ୍କର୍ମ ମାମଲାରେ ଫେରାର ପଞ୍ଜାବର ଆପ ବିଧାୟକ ମଧ୍ୟପ୍ରଦେଶରୁ ଗିରଫ