ଓଡ଼ିଶାରେ ପୁଣିଥରେ ସାମ୍ନାକୁ ଆସିଛି ଏକ ବଡ଼ ସାଇବର ଠକେଇ ଘଟଣା, ଯାହା ନିବେଶକମାନଙ୍କୁ ଚେତାବନୀ ଦେଉଛି, ଅନଲାଇନ୍ରେ ଦେଖାଯାଉଥିବା “ବଡ଼ ଲାଭ” ସବୁବେଳେ ସତ୍ୟ ନୁହେଁ। ବୁଧବାର କ୍ରାଇମବ୍ରାଞ୍ଚ ୧୨.୩୩ କୋଟି ଟଙ୍କାର ଏହି ଠକେଇ ମାମଲାରେ କୋଲକାତାର ୩୬ ବର୍ଷୀୟ ରାହୁଲ ଜୟସ୍ୱାଲଙ୍କୁ ଗିରଫ କରିଛି। ଏହି ଘଟଣା ଏବେ ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇପଡ଼ିଛି।
ହ୍ୱାଟସ୍ଆପ୍ ମେସେଜ୍ରୁ ଆରମ୍ଭ ହେଲା ଠକେଇ
ଜୁଲାଇ ୩୧, ୨୦୨୫ ଏହି ଦିନ ଜଣେ ନିବେଶକଙ୍କ ପାଖକୁ ହ୍ୱାଟସ୍ଆପ୍ରେ ଆସିଲା ଏକ ଆକର୍ଷଣୀୟ ପ୍ରସ୍ତାବ। ସାଇବର ଠକ ଗ୍ୟାଙ୍ଗ ତାଙ୍କୁ ହ୍ୱାଟ୍ସଆପ୍ ମାଧ୍ୟମରେ ଯୋଗାଯୋଗ କରିଥିଲେ। ସେମାନଙ୍କ ଦ୍ୱାରା ସେୟାର ମାର୍କେଟରେ ଟଙ୍କା ଲଗାଇଲେ ବହୁଗୁଣ ଲାଭ ମିଳିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ଫଳରେ ଅଭିଯୋଗକାରୀ ଠକଙ୍କ କଥାରେ ପଡି ଟଙ୍କା ନିବେଶ କରିବାକୁ ରାଜି ହୋଇଯାଇଥିଲେ।
“ଷ୍ଟକ୍ ମାର୍କେଟରେ ଟଙ୍କା ଲଗାନ୍ତୁ, ବହୁଗୁଣ ଲାଭ ପାଆନ୍ତୁ”
ଏହି ଲୋଭନୀୟ ଆଶ୍ୱାସନରେ ପଡି ନିବେଶକ ଠକମାନଙ୍କ ସହ ଯୋଗାଯୋଗ ଆରମ୍ଭ କଲେ। ପରେ ତାଙ୍କୁ ଏକ ନକଲି ଟ୍ରେଡିଂ ପ୍ଲାଟଫର୍ମରେ ନିବେଶ କରିବାକୁ ପ୍ରେରିତ କରାଗଲା।
୫୨ଟି ଟ୍ରାଞ୍ଜାକ୍ସନ୍ରେ ୧୨.୩୩ କୋଟି ଟଙ୍କା ଟ୍ରାନ୍ସଫର୍
ସାଇବର ଠକଙ୍କ କଥାରେ ପଡ଼ି ଅଭିଯୋଗକାରୀ ୨୦୨୫ ଅଗଷ୍ଟ ୧୨ରୁ ସେପ୍ଟେମ୍ବର ୨ ମଧ୍ୟରେ ୧୨ କୋଟି ୩୩ ଲକ୍ଷ ୫୫ ହଜାର ଟଙ୍କା ନିବେଶ ପାଇଁ ଦେଇ ଦେଇଥିଲେ। ଠକଙ୍କ ନିର୍ଦ୍ଦେଶ ଅନୁଯାୟୀ ବିଭିନ୍ନ ପର୍ଯ୍ୟାୟରେ ୫୨ଟି ଟ୍ରାଞ୍ଜାକ୍ସନରେ ସେ ୯ଟି ଆକାଉଣ୍ଟରେ ଟଙ୍କା ଟ୍ରାନ୍ସଫର୍ କରିଥିଲେ। ଏହାପରେ ଟ୍ରେଡିଂ ଆକାଉଣ୍ଟରୁ ଟଙ୍କା ଉଠାଇବାକୁ ଚାହିଁଥିଲେ। ହେଲେ ରିସ୍କ୍ କଣ୍ଟ୍ରୋଲ୍ ଟିମ୍ ବିଭିନ୍ନ ବାହାନା କରି ଟଙ୍କା ଛାଡ଼ିବାକୁ ମନା କରିଥିଲା। ପରେ ସେ ଠକେଇରେ ପଡିଥିବା ଜାଣିବାକୁ ଜାଣିବାକୁ ପାଇଥିଲେ।
ତଦନ୍ତରେ ଖୋଲିଲା ଗୁପ୍ତ ତଥ୍ୟ
ଠକେଇର ଶିକାର ଅଭିଯୋଗକାରୀ ଜଣକ କ୍ରାଇମବ୍ରାଞ୍ଚର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗ ପାଇବା ପରେ କ୍ରାଇମବ୍ରାଞ୍ଚ ସେପ୍ଟେମ୍ବର ୬, ୨୦୨୫ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କଲା।୨୦୨୫ ସେପ୍ଟେମ୍ବର ୬ରେ ଏନେଇ କ୍ରାଇମବ୍ରାଞ୍ଚ ସାଇବର ଥାନା ମାମଲା (ନଂ.୨୮/୨୦୨୫) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।
ଲାଭର ଲୋଭ ଦେଖାଇ ଠକେଇ
ତଦନ୍ତ ବେଳେ ୪ କୋଟି ୧୫ ଲକ୍ଷ ୫୦ ହଜାର ଟଙ୍କା ଅଭିଯୁକ୍ତ ରାହୁଲର ବ୍ୟାଙ୍କ ଆକାଉଣ୍ଟକୁ ଯାଇଥିବା ଜଣାପଡିଥିଲା। ଏହି ମାମଲାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବାକୁ କ୍ରାଇମବ୍ରାଞ୍ଚ ପ୍ରୟାସ ଜାରି ରଖିଛି। ଏନେଇ ଆଜି (ବୁଧବାର) କ୍ରାଇମବ୍ରାଞ୍ଚ ପକ୍ଷରୁ ପ୍ରେସ ରିଲିଜ୍ ଜରିଆରେ ସୂଚନା ଦିଆଯାଇଛି। ଗିରଫ ଅଭିଯୁକ୍ତ ହେଲା ରାହୁଲ ଜୟସ୍ୱାଲଙ୍କ ଠାରୁ ମୋବାଇଲ, ସିମ୍ କାର୍ଡ ଓ ଅନ୍ୟାନ୍ୟ ଡିଜିଟାଲ ଡିଭାଇସ ଆଦି ଜବତ ହୋଇଛି। ଗିରଫ ପରେ ତାଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରାଯାଇଛି।