ପୁରୀ: ପୁଣି ଥରେ ପୁରୀ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗୋଟିଏ ପଟେ ରତ୍ନଭଣ୍ଡାରର ରତ୍ନ ଅଳଙ୍କାର ଗଣତିମଣତି ଏବଂ ଆଉ ଗୋଟିଏ ପରେ ପତିତପାବନ ବାନା ପରିବର୍ତ୍ତନ ଚାଲିଥିବାବେଳେ ଶ୍ରୀମନ୍ଦିର ଉପରେ ଦୁଇ ଦୁଇଟି ଡ୍ରୋନ୍ ଉଡ଼ୁଥିବା ଦେଖିବାକୁ ମିଳିଛି ।
ଆଜି ସନ୍ଧ୍ୟା ୫ଟା ବାଜି ୩୫ ମିନିଟ୍ ସମୟରେ ଶ୍ରୀମନ୍ଦିର ବାନା ପରିବର୍ତ୍ତନ ବେଳେ ନୀଳଚକ୍ର ନିକଟରେ ଦୁଇଟି ଡ୍ରୋନ୍ କ୍ୟାମେରା ଉଡ଼ୁଥିବା ଦେଖିବାକୁ ମିଳିଥିଲା । ସେଠାରେ ଉପସ୍ଥିତ ଥିବା ବିଭିନ୍ନ ଗଣମାଧ୍ୟମର କ୍ୟାମେରାରେ ଦୁଇଟି ଡ୍ରୋନ୍ କଏଦ ହୋଇଛି । କିନ୍ତୁ ମନ୍ଦିର ସୁରକ୍ଷା ନିୟୋଜିତ ପୋଲିସ ପ୍ରଶାସନ ନିରବ ଦ୍ରଷ୍ଟା ସାଜିଥିଲା । ପୋଲିସ ପକ୍ଷରୁ ଦୁଇଟି ଡ୍ରୋନକୁ ଧରିବାକୁ କୌଣସି ପଦକ୍ଷେପ ନିଆଯାଇନଥିଲା । ରତ୍ନ ଅଳଙ୍କାର ଗଣତିମଣତି ଚାଲିଥିବାବେଳେ ମନ୍ଦିରରେ ବର୍ତ୍ତମାନ କଡ଼ା ସୁରକ୍ଷା ରହିଛି । ତଥାପି ଶ୍ରୀମନ୍ଦିର ଉପରେ କେମିତି ଡ୍ରୋନ୍ ଉଡ଼ିଲା ତାହା ବଡ଼ ପ୍ରଶ୍ନ ।
ଏହା ଥରେ କିମ୍ବା ଦୁଇ ଥର ନୁହେଁ । ଶ୍ରୀମନ୍ଦିରରେ ଏଭଳି ଦୃଶ୍ୟ ବାରମ୍ବାର ଦେଖିବାକୁ ମିଳିଛି । ଗତ ଫେବୃଆରୀ ୨୨ରେ ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳରେ ଉପରେ ଡ୍ରୋନ ଉଡ଼ିଥିଲା। ସେହିପରି ଗତ ବର୍ଷ ଅକ୍ଟୋବର ୮ ଏବଂ ୯ ତାରିଖରେ ଲଗାତର ଦୁଇ ଦିନ ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳରେ ଡ୍ରୋନ୍ ଉଡ଼ିଥିଲା । ସେହିପରି ଜୁନ ମାସରେ ମଧ୍ୟ ଡ୍ରୋନ୍ ଉଡୁଥିବା ଦେଖାଯାଇଥିଲା । ତଥାପି ପୋଲିସ ପ୍ରଶାସନ କିମ୍ବା ମନ୍ଦିର ପ୍ରଶାସନର ନିଦ ଭାଙ୍ଗୁନାହିଁ ।