ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ହଠାତ୍ ପାଗ ବଦଳିଯିବା ସହ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ବୁଧବାର ଅପରାହ୍ନରେ ପ୍ରବଳ ବେଗରେ ପବନ, ଭୟଙ୍କର ଧୂଳିଝଡ଼ ଏବଂ କୁଆପଥର ମାଡ଼ ସାଙ୍ଗକୁ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି। ମାତ୍ର କିଛି ସମୟର ଏହି ପ୍ରାକୃତିକ ବିପର୍ଯ୍ୟୟ ଅନେକ ସ୍ଥାନରେ ବହୁ କ୍ଷୟକ୍ଷତି ଘଟାଇଥିବା ସୂଚନା ମିଳିଛି।
ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ବୁଧବାର ଅପରାହ୍ନ ପ୍ରାୟ ସାଢ଼େ ୧ ଟାରୁ ସାଢ଼େ ୩ ଟା ଯାଏଁ ଦୁଇ ଘଣ୍ଟା ବ୍ୟାପୀ କାଳବୈଶାଖୀ ହୋଇଥିଲା। ବଜ୍ରପାତ ସହ ଝଡ଼ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା। ମୂଷଳ ଧାରାରେ ବର୍ଷା ସହ କୁଆପଥର ପଡ଼ିଥିଲା। ତେବେ ଝଡ଼ବର୍ଷା ସମୟରେ ଏକ ଗଛ ବସ୍ ଉପରେ ପଡିଯାଇଥିଲା। ଦିଗପହଣ୍ଡିରୁ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମ ଅଭିମୁଖେ ଯାଉଥିବା ରାଜ୍ୟ ସଡ଼କ ପରିବହନ ନିଗମର ମୁଖ୍ୟମନ୍ତ୍ରୀ ବସ ଉପରେ ଗଛଟି ପଡିଯାଇଥିଲା। ଏକ ବିରାଟକାୟ ଗଛ ଡ଼ାଳ ପଡିଯିବାରୁ ବସଟି କ୍ଷତିଗ୍ରସ୍ତ ହୋଇଛି। ହେଲେ ବସରେ ଥିବା ୪୦ ଉର୍ଦ୍ଧ ଯାତ୍ରୀଅଳ୍ପକେ ବର୍ତ୍ତିଯାଇଛନ୍ତି।
ସେହିପରି ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ନାରାୟଣପୁର ପ୍ରାଥମିକ ବିଦ୍ୟାଳୟରେ ଥିବା ୪୫ଜଣ ଛାତ୍ରଛାତ୍ରୀ ବଡ ଅଘଟଣରୁ ବର୍ତ୍ତି ଯାଇଛନ୍ତି। ବିଦ୍ୟାଳୟ ଗୃହ ପାର୍ଶ୍ୱରେ ଥିବା ଶିରିସି ଗଛ ଉପରେ ବଜ୍ରପାତ ପଡ଼ିଥିଲା। ଫଳରେ ଗଛର ଡାଳ ଫାଟିଯାଇ ତତକ୍ଷଣାତ୍ ନିଆଁ ଲାଗିଥିଲା। ପରବର୍ତ୍ତୀ ମୁହୂର୍ତ୍ତରେ ବର୍ଷା ଯୋଗୁଁ ନିଆଁ ଶିଘ୍ର ଲିଭିଯାଇଥିଲା। ଏହି ସମୟରେ ଛାତ୍ରଛାତ୍ରୀଙ୍କ ସମେତ କର୍ମଚାରୀ ଉପସ୍ଥିତ ଥିଲେ। ହଠାତ୍ ବଜ୍ରପାତର ଭୟଙ୍କର ଶବ୍ଦରେ ଛାତ୍ରଛାତ୍ରୀ, ଶିକ୍ଷକ ଓ ନିକଟସ୍ଥ ବାସିନ୍ଦା କିଛି ସମୟ ପାଇଁ ଭୟଭୀତ ହୋଇପଡ଼ିଥିଲେ। ସୌଭାଗ୍ୟକ୍ରମେ କାହାରି ପ୍ରାଣହାନୀ ହୋଇନାହିଁ।
ସେହିପରି ଭଦ୍ରକ ଓ ଯାଜପୁରରେ ମଧ୍ୟ କାଳବୈଶାଖୀ ତାଣ୍ଡବ ରଚିଛି। ବିଶେଷ କରି ବନ୍ତ ବ୍ଲକର ବନ୍ତ, ପଧାନପଡ଼ା, ନିଳୋକ, ସେଣ୍ଡତୀରା, ଗୋବିନ୍ଦପୁର, କେନ୍ଦୁଆପଦା, ତୋଡଙ୍ଗା, ରାମପୁର, ରାମକୃଷ୍ଣପୁର, ଗଣିଜାଙ୍ଗ, ଛୟାଳସିଂ, ଟିଲୋ, ବସନ୍ତିଆ, ରାମଚନ୍ଦ୍ରପୁର ଏବଂ ଆଡ଼ିଆ ଆଦି ପଞ୍ଚାୟତରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଛି। ପବନର ବେଗ ଏତେ ତୀବ୍ର ଥିଲା ଯେ ଅନେକ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡ଼ି ରାସ୍ତା ଉପରେ ପଡ଼ିଯାଇଛି। ଯାହାଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି।
କୁଆପଥର ମାଡ଼ ଯୋଗୁ ପନିପରିବା ଚାଷ ଏବଂ ଖରାଦିନିଆ ଫସଲ କେତେକାଂଶରେ ନଷ୍ଟ ହୋଇଯାଇଥିବା ଚାଷୀ କହିଛନ୍ତି l ଅନେକ ସ୍ଥାନରେ ଚାଳଘରର ଛପର ଉଡ଼ିଯାଇଥିବା ବେଳେ ବିଦ୍ୟୁତ ଖୁଣ୍ଟ ଓ ତାର ଛିଣ୍ଡି ପଡ଼ିବାରୁ କେତେକ ଅଞ୍ଚଳ ଅନ୍ଧାରମୟ ହୋଇଯାଇଛି। କିଛି ସ୍ଥାନରେ ଟିଣ ଓ ଆଜବେଷ୍ଟସ୍ ଉଡ଼ିଯାଇଥିବାରୁ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ଧୂଳିଝଡ଼ ଯୋଗୁ ରାସ୍ତାରେ ଦୃଶ୍ୟମାନ କ୍ଷମତା କମିଯାଇଥିବାରୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।
ସେହିପରି ଯାଜପୁରରେ କାଳବୈଶାଖୀର ତାଣ୍ଡବରେ ଭାଙ୍ଗିଲା ମହୋତ୍ସବ ଟେଣ୍ଟ। ଯଯାତି ମହୋତ୍ସବ ପାଇଁ ନିର୍ମିତ ଟେଣ୍ଟ ବର୍ଷା ପବନରେ ଭାଙ୍ଗି ପଡ଼ିଯାଇଛି। ସୁଭଦ୍ରା ଶକ୍ତି ମେଳା ପାଇଁ ହୋଇଥିବା ଷ୍ଟଲ୍ ମଧ୍ୟ ପବନରେ ଭାଙ୍ଗି ଛିନ୍ଛତ୍ର ହୋଇଯାଇଛି। ଏଥିସହ ବ୍ୟବସାୟ ପାଇଁ ଆସିଥିବା ଅନେକ ସାମଗ୍ରୀ ବର୍ଷା ପବନରେ ନଷ୍ଟ। ଆନନ୍ଦପୁରରେ ମଧ୍ୟ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ଚାଳ ଛପର ଘର ଭାଙ୍ଗିଯିବା ସହ କିଛି ସ୍ଥାନରେ ଗଛ ଉପୁଡ଼ିପଡ଼ିଛି।