ପୁରୀ: ଆଜି ପବିତ୍ର ରାମନବମୀ । ଏହି ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ରାମ ଜନ୍ମ ନୀତି।। ମଧ୍ୟାହ୍ନଧୂପ ଭୋଗ ଉଠିବା ପରେ ହେବ ଶ୍ରୀରାମ ଜନ୍ମ ନୀତି। ନୀତି ଆରମ୍ଭରୁ ଶେଷ ହେବା ଯାଏ ବନ୍ଦ ରହିବ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ। ରାମଜନ୍ମର ଏହି ପବିତ୍ର ଦିନରେ ଶ୍ରୀକ୍ଷେତ୍ରର ଶ୍ରୀମନ୍ଦିରରେ ପାଳନ ହେବ ଶ୍ରୀରାମ ନବମୀ ପାଇଁ ସ୍ୱତନ୍ତ୍ର ନୀତିକାନ୍ତି । ରାମ ଜନ୍ମ ନୀତି ପାଇଁ ଆଜି ଅପରାହ୍ନ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ଦର୍ଶନ ବନ୍ଦ ରହିବ ।
ସେପଟେ ରାମନବମୀ ଅବସରରେ ରଥକାଠ ଚିରଟର ଶୁଭ ଅନୁକୂଳ ହେବାର ପରମ୍ପରା ରହିଛି। ଏଥିପାଇଁ ଶ୍ରୀମନ୍ଦିରରୁ ଲାଗି ହୋଇଥିବା ମାଳ ମହାପ୍ରସାଦ ନେଇ ଟିମ୍ କଟକ ଅଭିମୁଖେ ଯାତ୍ରା କରିବେ । କଟକ ଖପୁରିଆ ସ୍ଥିତ କରତକଳରେ ଆଜିର ପବିତ୍ର ରାମନବମୀ ତିଥିରେ ମାଳ ମହାପ୍ରସାଦ ଲାଗି ପରେ ରଥକାଠ ଚିରଟ କାର୍ଯ୍ୟ ଆରମ୍ଭ ହେବ। ତିନଟି ଧଉରା କାଠକୁ ଆଜିର ଦିନରେ ମାଳ ମହାପ୍ରସାଦ ଲାଗି କରାଯାଇ ଚିରଟ କାର୍ଯ୍ୟ ଆରମ୍ଭ ହେବାର ବିଧି ରହିଛି। ଗତ ସରସ୍ବତୀ ପୂଜାରେ ରଥକାଠ ପୂଜାର୍ଚ୍ଚନା କରାଯାଇଥିବା ବେଳେ ଆସନ୍ତା ଅକ୍ଷୟ ତୃତୀୟା ଅବସରରେ ରଥ ନିର୍ମାଣ ଅନୁକୂଳ ହେବାର ପରମ୍ପରା ରହିଛି ।