ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜି କାଳବୈଶାଖୀ ତାଣ୍ଡବ ରଚିଛି । ମୂସଳଧାରାରେ ବର୍ଷାକୁ କୁଆପଥର ମାଡ଼ରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ସାରା ସହର ଜଳାର୍ଣ୍ଣବ ହୋଇଯାଇଛି ।
ଆଜି ଅପରାହ୍ନରେ କଳାହାଣ୍ଡିଆ ମେଘ ରାଜଧାନୀରେ ଆକାଶରେ ଘୋଟିଯାଇଥିଲା । ଏହା ପରେ ଆରମ୍ଭ ହୋଇଥିଲା କୁଆପଥର ବର୍ଷା । ବର୍ଷା ପବନ ସହ ଘଡ଼ଘଡ଼ି ବିଜୁଳି ମାରିଥିଲା । ଲଗାତର ୪୫ ମିନିଟ୍ ଧରି କାଳବୈଶାଖୀ ତାର ରୌଦ୍ର ରୂପ ଦେଖାଇଥିଲା । ଏପରିକି ଅଶୋକାଷ୍ଟମୀ ଉପଲକ୍ଷେ ଚାଲିଥିବା ରୁକୁଣା ରଥ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା । ପ୍ରାୟ ଏକ ଘଣ୍ଟା ଧରି ରଥ ଯାତ୍ରା ସ୍ଥଗିତ ରହିଥିଲା । ସେହିପରି ଭୀଷଣ ବର୍ଷାରେ ମାଷ୍ଟରକ୍ୟାଣ୍ଟିନ୍ ଛକ ଜଳାର୍ଣ୍ଣବ ହୋଇଯାଇଥିଲା । ପ୍ରାୟ ଘଣ୍ଟାଏ ବର୍ଷାରେ ଆଣ୍ଠୁଏ ଉଚ୍ଚାର ପାଣି ଚାଲିଥିଲା । ଫଳରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ।
କଟକରେ ମଧ୍ୟ ଅନୁରୂପ ସ୍ଥିତି ଦେଖିବାକୁ ମିଳିଥିଲା । କଟକ ସହରରେ ପବନ, ବର୍ଷା ସହ କୁଆପଥର ମାଡ଼ ହୋଇଛି । ତେବେ କାଳବୈଶାଖୀ ପ୍ରଭାବରେ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି ।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗରୁ ଛତିଶଗଡ଼ ପର୍ଯ୍ୟନ୍ତ ଏକ ଟ୍ରାପ୍ ଲାଇନ୍ ରହିଛି । ମାର୍ଚ୍ଚ ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର 8ଟି ଜିଲ୍ଲାକୁ କାଳବୈଶାଖୀ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଉପକୂଳ ସମେତ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ହେବ । ଏଥିସହ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି।