ଭୁବନେଶ୍ୱର: ପବିତ୍ର ଅଶୋକାଷ୍ଟମୀ ଅବସରରେ ଭୁବନେଶ୍ୱରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଗୁରୁବାର ଆରମ୍ଭ ହୋଇଥିବା ରଥ ଟଣା ସନ୍ଧ୍ୟା ସୁଦ୍ଧା ବଢ଼େଇବାଙ୍କ ଛକରେ ଅଟକିଛି । ପୁଣି ଥରେ ଆସନ୍ତାକାଲି ମହାପ୍ରଭୁ ଲିଙ୍ଗରାଜଙ୍କ ରଥଟଣା ହେବ ।
ଆଜି ପ୍ରଥମେ ପ୍ରଭୁ ଲିଙ୍ଗରାଜଙ୍କ ପହିଲି ନୀତି ମଙ୍ଗଳ ଆଳତି ଏବଂ ଅବକାଶ ଭୋର ୪ଟାରୁ ସାଢେ ୪ଟାରେ ମଧ୍ୟରେ ସୁରୁଖରେ ଶେଷ ହୋଇଥିଲା । ସକାଳ ଧୂପ ଏବଂ ବଢ଼ି ଭୋଗ ମଣ୍ଡପ ଶେଷ ହେବା ପହଣ୍ଡି ଆରମ୍ଭ ହୋଇଥିଲା । ଏହା ପରେ ଅପରାହ୍ନରେ ବାବା ଲିଙ୍ଗରାଜଙ୍କ ରଥ ଟଣା ଆରମ୍ଭ ହୋଇଥିଲେ । ମହାପ୍ରଭୁ ଶ୍ରୀଲିଙ୍ଗରାଜ, ଦୋଳଗୋବିନ୍ଦ ଏବଂ ମା' ଦୁର୍ଗା ବିରାଜମାନ କରି ରାମେଶ୍ୱର ମନ୍ଦିର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ଏହି ଦିବ୍ୟ ଅନୁଭୂତିକୁ ସାଉଁଟିବାକୁ ଏକାମ୍ର କ୍ଷେତ୍ର ଜନସମୁଦ୍ରରେ ପରିଣତ ହୋଇଥିଲା । ହଜାର ହଜାର ସଂଖ୍ୟାରେ ଭକ୍ତ ରଥ ଟାଣିଥିଲେ ।
ଏହି ସମୟରେ କିଛି ଅପ୍ରିତୀକର ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା । ରଥ ଟଣା ଆରମ୍ଭରୁ ଦଉଡ଼ି ଛିଡ଼ି ଯାଇଥିଲା। ସେହିପରି କାଳବୈଶାଖୀ ବର୍ଷାରେ ମଧ୍ୟ ଶ୍ରଦ୍ଧାଳୁ ଭିଜିଥିଲେ । ବର୍ଷା ପାଇଁ ପ୍ରାୟ ଏକ ଘଣ୍ଟା ଧରି ରଥ ଟଣା ସ୍ଥଗିତ ରହିଥିଲା । ବର୍ଷା ଛାଡ଼ିବା ପରେ ରଥ ଟଣା ଆରମ୍ଭ ହୋଇଥିଲା । ରଥ ମୋଡ଼ ବଦଳାଇ ଡ୍ରେନ୍ ଆଡ଼କୁ ମାଡ଼ିଯାଇଥିଲା । ତେବେ ଏହାରି ମଧ୍ୟରେ ରୁକୁଣା ରଥ ବଢ଼େଇବାଙ୍କ ଛକ ନିକଟରେ ଅଟକିଛି । ଆସନ୍ତାକାଲି ଅପରାହ୍ନ ସାଢ଼େ ଦୁଇଟା ବେଳକୁ ପୁନର୍ବାର ରଥଟଣା ଆରମ୍ଭ ହୋଇ ରାମେଶ୍ୱର ମନ୍ଦିର ନିକଟରେ ପହଁଚିବ ।