ଆଜି ଓଡିଶା ଉପକୂଳ ପୁରୀରେ ୨ଟି ଦୁଃଖଦ ଘଟଣା ଘଟିଛି। ପୁରୀ ଏବଂ ଚନ୍ଦ୍ରଭାଗା ବେଳାଭୂମିରେ ୨ଟି ପୃଥକ ଦୁର୍ଘଟଣାରେ ଜଣେ ଯୁବକ ବୁଡ଼ି ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଜଣେ ନିଖୋଜ ଅଛନ୍ତି।
ସୂଚନା ଅନୁଯାୟୀ, ପୁରୀର ଏକ ହୋଟେଲ ବେଳାଭୂମି ନିକଟରେ ସମୁଦ୍ରରେ ଗାଧୋଇବା ସମୟରେ ଯାଜପୁର ଜିଲ୍ଲାର ୧୮ ବର୍ଷୀୟ ଯୁବକ ଶୁଭେନ୍ଦୁ ପ୍ରଧାନ ବୁଡି ଯାଇ ନିଖୋଜ ହୋଇଯାଇଛନ୍ତି। ସାଙ୍ଗ ମାନଙ୍କ ସହପାଣିରେ ଗାଧେଇବା ସମୟରେ ହଠାତ୍ ଏକ ବଡ ଢେଉ ତାଙ୍କୁ ଭସାଇ ନେଇଥିଲା। ସେଠାରେ ଉପସ୍ଥିତ ଥିବା ସାଙ୍ଗ ମାନେ ଖୋଜାଖୋଜି କରିଥିବା ସତ୍ୱେ କୌଣସି ପତ୍ତା ନମିଳିବାରୁ ଲାଇଫଗାର୍ଡଙ୍କୁ ଖବର ଦେଇଥିଲେl ଲାଇଫଗାର୍ଡ ମାନେ ସମୁଦ୍ରରେ ଖୋଜାଖୋଜି ଜାରି ରଖିଛନ୍ତି।
ସେହିପରି ଚନ୍ଦ୍ରଭାଗା ମେରାଇନ୍ ପୋଲିସ ଷ୍ଟେସନ ଅଧୀନସ୍ଥ କୋଣାର୍କ ଚନ୍ଦ୍ରଭାଗା ଇକୋ ରିଟ୍ରିଟ୍ ନିକଟରେ ଉତ୍ତର ପ୍ରଦେଶର ଫିରୋଜାବାଦ ଜିଲ୍ଲାର ଆମ୍ବେଦକର ନଗର ଅଞ୍ଚଳର ୨୦ ବର୍ଷୀୟ ଯୁବକ ମୁନୁ କୁମାର ସମୁଦ୍ରରେ ଗାଧୋଇବା ସମୟରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି।
ସୂଚନା ପାଇ ମେରାଇନ୍ ପୋଲିସ ଏବଂ ଲାଇଫଗାର୍ଡମାନେ ଘଟଣାସ୍ଥଳକୁ ପହଞ୍ଚି ମୁନୁଙ୍କୁ ପାଣିରୁ ଉଦ୍ଧାର କରିଥିଲେ। ତାଙ୍କୁ ତୁରନ୍ତ ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ଚନ୍ଦ୍ରଭାଗା ନିକଟସ୍ଥ ଇକୋ ରିଟ୍ରିଟ୍ ରେ ଶ୍ରମିକ ଭାବରେ କାମ କରୁଥିଲେ।
ସମୁଦ୍ର ଉପକୂଳରେ ଏପରି ଘଟଣା ବାରମ୍ବାର ଘଟୁଥିବାରୁ, କର୍ତ୍ତୃପକ୍ଷମାନେ ପର୍ଯ୍ୟଟକମାନଙ୍କୁ ସମୁଦ୍ରରେ ପ୍ରବେଶ କରିବା ସମୟରେ ସତର୍କତା ଅବଲମ୍ବନ କରିବାକୁ ଅନୁରୋଧ କରିଛନ୍ତି।