ଭୁବନେଶ୍ୱର: ମଦ ଦୋକାନ ପାଇଁ ଏପ୍ରିଲରେ ଲଟେରୀ ହେବ। ଏନେଇ ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଏହି ଲଟେରୀ ଉଠାଣ ଜିଲ୍ଲାପାଳଙ୍କ ଉପସ୍ଥିତିରେ ହେବ। ଆବଶ୍ୟକ ପଡିଲେ ଇଲେକ୍ଟ୍ରୋନିକସ ଲଟେରୀ କରାଯିବ। ଏଥର ଲଟେରୀ ଉଠାଣରେ ସ୍ୱଚ୍ଛ ପ୍ରକ୍ରିୟା ହେବ। ଗତଥର ଲଟେରୀ ପାଇଥିବା ଦୋକାନ ଗୁଡ଼ିକର ସମୟସୀମା ମାର୍ଚ୍ଚ ୩୧ରେ ସରୁଛି। ତେଣୁ ଆସନ୍ତାବର୍ଷ ପାଇଁ ପୁଣି ଠାରେ ଲଟେରୀ କରାଯିବ।
ନୂଆ ଅବକାରୀ ନୀତିରେ ଆଉ ନୂଆ ମଦ ଦୋକାନ ଖୋଲିବ ନାହିଁ ତେଣୁ ଯେତିକି ଅଫ୍ ସପ ଥିଲା, ସେ ସବୁର MGER ସ୍ଥିର ହେବ ବୋଲି କହିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ନୂତନ ନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେଲା ଅବକାରୀ ଶୁଳ୍କ ଉପରେ ୦.୫% ଡି-ଆଡିକ୍ସନ ସେସ୍ ପ୍ରଚଳନ। ଏହା ମାଧ୍ୟମରେ ମଦକୁ କ୍ଷତିକାରକ ପଦାର୍ଥ ଭାବେ ସ୍ୱୀକାର କରାଯାଇଛି। ଏହି ସେସ୍ ରୁ ଆସୁଥିବା ଅର୍ଥ ଡି-ଆଡିକ୍ସନ କେନ୍ଦ୍ର ସ୍ଥାପନ ଓ ସୁଦୃଢ଼ କରିବାରେ ବ୍ୟୟ ହେବ। ଏହାସହିତ ବିଭିନ୍ନ ଅବକାରୀ ଲାଇସେନ୍ସ ପାଇଁ ଆବେଦନ ଶୁଳ୍କ ୧୦% ବଢ଼ାଯାଇଛି। ଲାଇସେନ୍ସ ଶୁଳ୍କ ପ୍ରତିବର୍ଷ ୧୦ରୁ ୨୦% ପର୍ଯ୍ୟନ୍ତ ବୃଦ୍ଧି ପାଇବାକୁ ଥିବାବେଳେ IMFL ଓ ଦେଶୀ ମଦ ଉପରେ ମଧ୍ୟ ଅବକାରୀ ଶୁଳ୍କ ବଢ଼ାଯାଇଛି।
ନୂତନ ନୀତି ଅନୁସାରେ ନୂଆ OFF, CL କିମ୍ବା OS ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଯିବ ନାହିଁ। ବିଶେଷ କରି ଗ୍ରାମାଞ୍ଚଳରେ ନୂତନ ଦୋକାନ ଖୋଲାରେ ନିଷେଧ ଜାରି ରହିବ। ତେବେ ଶିଳ୍ପାଞ୍ଚଳର ୩-ତାରକା ଓ ତାହାଠାରୁ ଉପର ହୋଟେଲ୍ ଓ କ୍ଲବ୍ଗୁଡ଼ିକୁ ଛଡା ଯାଇଛି। ଧାର୍ମିକ ଓ ସାଂସ୍କୃତିକ ଭାବନାକୁ ସମ୍ମାନ ଦେଇ ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ଓ ବଡ଼ଦାଣ୍ଡ ନିକଟରେ କୌଣସି ଅବକାରୀ ଦୋକାନ ଚାଲୁ ହେବ ନାହିଁ ବୋଲି ନୀତିରେ ସ୍ପଷ୍ଟ କରାଯାଇଛି। ଏହା ସହିତ ଘରକୁ ମଦ ଡିଲିଭେରି ବ୍ୟବସ୍ଥାକୁ ମଧ୍ୟ ଅନୁମତି ଦିଆଯାଇନି।