ପାଲଘର: ମୁଁ ଶିବଙ୍କ ଅବତାର । ମୋ ପାଖରେ ଦିବ୍ୟ ଶକ୍ତି ଅଛି । ମୋ ଶରଣରେ ଆସ । ମୁଁ ତୁମର ସବୁ ସମସ୍ୟାର ସମାଧାନ କରି ଦେବି । ଏମିତି କହି ଗୋଟିଏ ପରେ ଗୋଟିଏ ମହିଳାଙ୍କୁ ଫସାଉଥିଲା । ସେମାନଙ୍କ ବିଶ୍ୱାସ ଜିଣିବା ପରେ ଦୁଷ୍କର୍ମ ପରି ଘୃଣ୍ୟ କାମ କରୁଥିଲା । ଏବେ ଏହି ସ୍ୱୟଂଭୁ ବାବାର ଅକଲ ଗୁଡୁମ । ପୋଲିସ ପଞ୍ଝାରେ ଠକ ବାବା ।
ମହରାଷ୍ଟ୍ରର ପାଲଘର ଜିଲ୍ଲାରେ ରହୁଥିବା ୪୦ ବର୍ଷୀୟ ଋଷିକେଶ ବୈଦ୍ୟ ନାମକ ବ୍ୟକ୍ତିଙ୍କୁ ଦୁଷ୍କର୍ମ ନାଁରେ ପୋଲିସ ଗିରଫ କରିଛି । ଜଣେ ମହିଳା ତାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ଏହି ବ୍ୟକ୍ତି ନିଜକୁ ଭଗବାନ ଶିବଙ୍କ ଅବତାର କହୁଥିଲେ । ସୋସିଆଲ ମିଡିଆ ଜରିଆରେ ମହିଳାଙ୍କୁ ଫସାଇବା ତରିକା ଆପଣେଇଥିଲା ।
ଘଟଣାର ଆରମ୍ଭ ୨୦୨୩ରେ ଫେସବୁକ ଜରିଆରେ ଆରମ୍ଭ ହୋଇଥିଲା । ମହିଳା ଜଣକ ଏହି ଭଣ୍ଡ ବାପାଙ୍କ ସଂସ୍ପର୍ଶରେ ଆସିଥିଲା । ୨୦୨୩ ଡିସେମ୍ବରରେ ଋଷିକେଶ ପୁଣେ ଆସିଥିଲେ ଏବଂ ନିଜକୁ ମହାଦେବ କହି ଲୋକଙ୍କୁ ଭୂଆଁ ବୁଲାଉଥିଲା । ସେ ମହିଳାଙ୍କୁ ପାର୍ବତୀ ଦର୍ଶାଇ ଧାର୍ମିକ ଭାବନାର ଫାଇଦା ଉଠାଇ ବିଶ୍ୱାସଘାତ କରିଥିଲା ।
ପୋଲିସ ଅନୁସାରେ, ଅଭିଯୁକ୍ତ ମହିଳାଙ୍କୁ ଅଚେତ କରିବା ଭଳି କିଛି ପଦାର୍ଥ ଦେଇ ଯୌନ ଶୋଷଣ କରିଥିଲା ଏବଂ ଗୋପନୀୟ ଫଟୋ ଉଠାଇ ବ୍ଲାକମେଲ କରିଥିଲା । ଏହା ସହିତ ପୁଣେର ମାଞ୍ଜରୀ ଅଞ୍ଚଳରେ ଏକ ଲଜରେ ମହିଳାଙ୍କ ସହ ଦୁଷ୍କର୍ମ କରିଥିଲା । ଏହା ପରେ ୨୦୨୪ ମେରେ ଏକ ହୋଟେଲରେ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା ।
ପୀଡିତାଙ୍କ ବୟସ ୩୪ ବର୍ଷ ଏବଂ ସେ ପୁଣେର ବାସିନ୍ଦା । ବ୍ଲାକମେଲ କାରଣରୁ ସେ ନିରବ ରହିଥିଲେ । ଅଭିଯୁକ୍ତ ଜଣକ ପାଲଘରରେ ଏକ ସାମାଜିକ ସଂଗଠନ ଚଲାଉଥିଲେ ଏବଂ ସେଠାରୁ ସେ ନିଜର ଅସାମାଜିକ ଗତିବିଧି ଚଲାଇଥିଲା ।
ପୋଲିସ କହିଛି, ଅଭିଯୁକ୍ତ ନିଜକୁ ଦିବ୍ୟ ଶକ୍ତି ଦର୍ଶାଇ ଏମିତି ଅନେକ ମହିଳାଙ୍କ ସହ ଦୁଷ୍କର୍ମ କରିଛି । ବରିଷ୍ଠ ଇନ୍ସପେକ୍ଟର ହୀରାଲାଲ ଯାଧବ କହିଛନ୍ତି, ଅଭିଯୁକ୍ତ ଋଷିକେଶ ବୈଦ୍ୟଙ୍କୁ ଗିରଫ କରାଯାଇଛି । ଅନ୍ୟ ମହିଳାଙ୍କ ସହ ତାର ଯୌନ ଶୋଷଣ ମାମଲାର ତଦନ୍ତ କରାଯାଉଛି ।