ନୂଆଦିଲ୍ଲୀ: ଏଣିକି ପିଲାଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ରିଲ୍ସ ନିଶାରେ ବାୟା । ସ୍ଥାନ, କାଳ କିଛି ଦେଖୁ ନାହାଁନ୍ତି । ଶିକ୍ଷକମାନେ ମଧ୍ୟ ବିଦ୍ୟାଳୟରେ ରିଲ୍ସ କରିବା ଆରମ୍ଭ କରିଦେଇଛନ୍ତି । ଶିକ୍ଷାନୁଷ୍ଠାନରେ ଶୈକ୍ଷିକ ବାତ୍ତାବରଣ ବଜାୟ ରଖିବା ପାଇଁ ଉତ୍ତର ପ୍ରଦେଶର ଫରିଦାବାଦ ଜିଲ୍ଲା ପ୍ରଶାସନ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି । ଫରିଦାବାଦ ପ୍ରଶାସନ ସମସ୍ତ ସ୍କୁଲକୁ ସ୍କୁଲ ସମୟରେ ଛାତ୍ର, ଶିକ୍ଷକ ଏବଂ ସ୍କୁଲ କର୍ମଚାରୀଙ୍କ ଦ୍ୱାରା ରିଲ୍ ଏବଂ ଛୋଟ ଭିଡିଓ ତିଆରି ଉପରେ ପ୍ରତିବନ୍ଧକ ଲଗାଇବାକୁ ନିର୍ଦ୍ଦେଶ ଦେଇଛି।
ବିଦ୍ୟାଳୟରେ ପାଠ ପଢ଼ାରେ ଛାତ୍ରଛାତ୍ରୀଙ୍କ ଧ୍ୟାନ କେନ୍ଦ୍ରିତ କରିବାକୁ ରିଲ୍ସ ବନାଇବା ଉପରେ କଟକଣା ଜାରି କରାଯାଇଛି । ଏହି ନିର୍ଦ୍ଦେଶନାମା ବିଦ୍ୟାଳୟରେ ଶୃଙ୍ଖଳା ବଜାୟ ରଖିବା ଏବଂ ଶିକ୍ଷାଗତ କାର୍ଯ୍ୟକଳାପ ବାଧାପ୍ରାପ୍ତ ନହେବା ନିଶ୍ଚିତ କରିବା ପାଇଁ ଲକ୍ଷ୍ୟ ରଖିଛି। ପ୍ରଶାସନ ଗୁରୁତ୍ୱାରୋପ କରିଛନ୍ତି ଯେ ରିଲ୍ କିମ୍ବା ଛୋଟ ଭିଡିଓ ତିଆରି କରିବା ଦ୍ୱାରା ଶିକ୍ଷାଗତ କାର୍ଯ୍ୟ, ଆନୁଷ୍ଠାନିକ ଶୃଙ୍ଖଳା କିମ୍ବା ସ୍କୁଲଗୁଡ଼ିକର ପ୍ରତିଷ୍ଠା ପ୍ରଭାବିତ ହେବା ଉଚିତ୍ ନୁହେଁ। ଫରିଦାବାଦ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ୱାରା ଜାରି ଏକ ସରକାରୀ ସର୍କୁଲାର ଅନୁଯାୟୀ, କିଛି ସ୍କୁଲରେ ମନୋରଞ୍ଜନ ଉଦ୍ଦେଶ୍ୟରେ ରିଲ୍ ଏବଂ ଛୋଟ ଭିଡିଓ ତିଆରି କରାଯାଉଥିବା ପରିଲକ୍ଷିତ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି, ଯାହା ଶ୍ରେଣୀଗୃହ କାର୍ଯ୍ୟକଳାପ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ।
ଶିକ୍ଷା ବିଭାଗ ସ୍କୁଲ ସମୟରେ ଏହି ନିଷେଧକୁ କଡ଼ାକଡ଼ି କାର୍ଯ୍ୟକାରୀ କରିବାକୁ ସମସ୍ତ ପ୍ରଧାନଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦେଇଛି। ଏଥିରେ କୁହାଯାଇଛି ଯେ ଛାତ୍ରଛାତ୍ରୀମାନଙ୍କୁ ବିଚଳିତ କରୁଥିବା କିମ୍ବା ପାଠପଢ଼ାରେ ବାଧା ସୃଷ୍ଟି କରୁଥିବା ଯେକୌଣସି କାର୍ଯ୍ୟକଳାପକୁ ନିଷେଧ କରାଯିବା ଉଚିତ।