ନୂଆଦିଲ୍ଲୀ: ଆଜି ହେଉଛି ପବିତ୍ର ରାମ ନବମୀ । ଅଯୋଧ୍ୟ ରାମ ମନ୍ଦିରରେ ପ୍ରଭୁ ଶ୍ରୀରାମଲାଲାଙ୍କର ସୂର୍ଯ୍ୟାଭିଷେକ କରାଯାଇଛି । ମଧ୍ୟାହ୍ନ ଠିକ୍ ୧୨ଟା ସମୟରେ ରାମଲାଲାଙ୍କ ମସ୍ତକରେ ହୋଇଥିଲା ସୂର୍ଯ୍ୟ ତିଳକ । ଏହା ସହିତ ହୋଇଥିଲା ମହାଆଳତୀ । ଏହି ଦିବ୍ୟ ଦୃଶ୍ୟକୁ ଦେଖିବାକୁ ଅଯୋଧ୍ୟାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କର ସମାଗମ ହୋଇଛି । ରାମନବମୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭଗବାନ ରାମଲାଲାଙ୍କ ଦର୍ଶନ କରିବା ସହିତ ପୂଜାର୍ଚ୍ଚନା କରିଛନ୍ତି । ରାମ ମନ୍ଦିରରେ 'ସୂର୍ଯ୍ୟ ତିଳକ' ସମାରୋହ ସାମିଲ ହୋଇଥିଲେ ।
ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ପରେ ତୃତୀୟ ଥର ପାଇଁ ମର୍ଯ୍ୟାଦା ପୁରୁଷ ରାମଚନ୍ଦ୍ରଙ୍କ ଜନ୍ମବାର୍ଷିକୀ ପାଳନ କରାଯାଇଛି । ଶ୍ରୀରାମଙ୍କ ବାଳୁତ ସ୍ୱରୂପକୁ ଦେଖି ବିମୋହିତ ହୋଇଯାଇଛନ୍ତି ଭକ୍ତ । ଜୟ ଶ୍ରୀରାମ ଧ୍ୱନୀରେ ଅଯୋଧ୍ୟା ନଗରୀ କମ୍ପି ଉଠିଥିଲା । ଭକ୍ତମାନଙ୍କର ବ୍ୟାପକ ଅଂଶଗ୍ରହଣକୁ ସୁନିଶ୍ଚିତ କରିବା ପାଇଁ ମନ୍ଦିର କର୍ତ୍ତୃପକ୍ଷ ଲାଇଭ୍ ସ୍କ୍ରିନିଂ ବ୍ୟବସ୍ଥା କରିଥିଲେ, ଯାହା ଦ୍ଵାରା ଲକ୍ଷାଧିକ ଭକ୍ତ ଏହି ଦିବ୍ୟ ମୁହୂର୍ତ୍ତର ସାକ୍ଷୀ ରହିଛନ୍ତି ।
ଅତ୍ୟାଧୁନିକ ଜ୍ଞାନକୌଶଳରେ ରାମଲାଲାଙ୍କ ମସ୍ତକରେ ସୂର୍ଯ୍ୟତିଳକ କରାଯାଇଥାଏ । ଦର୍ପଣ ଏବଂ ଲେନ୍ସର ଉନ୍ନତ ବ୍ୟବସ୍ଥା ସହିତ, ସୂର୍ଯ୍ୟକିରଣ ଗର୍ଭଗୃହରେ ପ୍ରବେଶ କରେ ଏବଂ କିଛି ମିନିଟ୍ ପାଇଁ ରାମଲାଲାଙ୍କ କପାଳରେ ଏକ ଉଜ୍ଜ୍ୱଳ ତିଳକ ସୃଷ୍ଟି କରେ । ଏହି ଉତ୍ସବ ଦିବ୍ୟ ଆଶୀର୍ବାଦର ପ୍ରତୀକ ମଧ୍ୟ ଏବଂ ପରମ୍ପରା ଏବଂ ଆଧୁନିକ ବିଜ୍ଞାନର ମିଶ୍ରଣକୁ ପ୍ରଦର୍ଶିତ କରେ ।