ଛିନ୍ଦୱାଡା: ମଧ୍ୟପ୍ରଦେଶର ଛିନ୍ଦୱାଡା ଜିଲ୍ଲାରେ ଗୁରୁବାର ସନ୍ଧ୍ୟାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ କାର୍ଯ୍ୟକ୍ରମରୁ ଫେରୁଥିବା ଏକ ବସ୍ ଏବଂ ପିକ୍ ଅପ ଗାଡି ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୧୦ ଜଣଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ୩୦ରୁ ଅଧିକ ଆହତ ହୋଇଥିବା ବେଳେ ଅନେକଙ୍କ ଅବସ୍ଥା ଗୁରୁତର ରହିଛି ।
ପିକ୍ ଅପ୍ ସହ ଧକ୍କା ପରେ ବସ ଓଲଟି ପଡିଛି । ଦୁର୍ଘଟଣା ଏତେ ଭୟାବହ ଥିଲା ଯେ, ତାହା ବର୍ଣ୍ଣନା କରି ହେବ ନାହିଁ । ଦୁର୍ଘଟଣା ଗୁରୁବାର ସନ୍ଧ୍ୟା ପ୍ରାୟ ୬ଟା ୩୦ରେ ଘଟିଛି । ବସରେ ୪୭ ଜଣ ଥିଲେ । ସମସ୍ତେ ଛିନ୍ଦୱାଡାର ପୋଲିସ ଲାଇନରେ ଆୟୋଜିତ ହିତଗ୍ରାହୀ ସମ୍ମିଳନୀରୁ ଫେରୁଥିଲେ । ଏହି ସମୟରେ ସିମରିୟା ନିକଟରେ ପିକଅପ ଗାଡି ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଯୋଗ ଦେଇଥିଲେ ।
ଛିନ୍ଦୱାଡା ଜିଲ୍ଲା ହସ୍ପିଟାଲର ମୁଖ୍ୟ କହିଛନ୍ତି ମୃତକଙ୍କ ମଧ୍ୟରେ ୬ ପୁରୁଷ, ୩ ଜଣ ମହିଳା ଏବଂ ଜଣେ ଛୋଟ ଶିଶୁ ସାମିଲ । କିଛି ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସେମାନଙ୍କୁ ନାଗପୁର ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି । ମୁଖ୍ୟମନ୍ତ୍ରୀ ଏହି ଦୁର୍ଘଟଣାରେ ଦୁଃଖ ବ୍ୟକ୍ତ କରିଛନ୍ତି । ଏଥିସହ ମୃତକଙ୍କ ପରିଜନ ପ୍ରତି ୪ ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତଙ୍କ ପ୍ରତି ଏକ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି । ସମସ୍ତ ଆହତଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।