ନୂଆଦିଲ୍ଲୀ: ଶକ୍ତି ସଙ୍କଟ ମଧ୍ୟରେ ଭାରତ ସ୍ଥିତିର ମୁକାବିଲା ପାଇଁ ସମାଧାନର ମାର୍ଗ ଖୋଜି ନେଇଛି । ଭାରତ ଅନେକ ଦେଶ ସହିତ ଅଶୋଧିତ ତୈଳ ଓ ଏଲପିଜି ନେଇ ଚୁକ୍ତିନାମା କରିଛି । ଏହା ସହିତ କେଉଁ ଦରରେ କ୍ରୁଡ ଓଏଲ କିଣାଯିବ ତାର ଦର ସ୍ଥିତ ହୋଇଛି । ଏହାକୁ ନେଇ ସରକାର ଆନୁଷ୍ଠାନିକ ଭାବେ କୌଣସି ସୂଚନା ଦେଇ ନାହାନ୍ତି । ଭାରତ ସରକାର ଏମିତି ପଦକ୍ଷେପ ସେହି ସମୟରେ ନେଇଛି ଯେତେବେଳେ ହର୍ମୁଜ ପ୍ରଣାଳୀରେ ଭାରତର ଜାହାଜ ଅଟକି ରହିଛି । କିନ୍ତୁ ରାନ ସ୍ପଷ୍ଟ କରି ସାରିଛି ଯେ, ଭାରତ ସମେତ କିଛି ମିତ୍ର ଦେଶ ପାଇଁ ହର୍ମୁଜ ମାର୍ଗ ଖୋଲା ରହିବ ।
ଏନଡିଟିଭିର ରିପୋର୍ଟ ଅନୁଯାୟୀ, ଭାରତ ଅଶୋଧିତ ତୈଳ ଓ ଏଲପିଜିର ଯୋଗାଣ ସ୍ୱାଭାବିକ କରିବା ପାଇଁ ଦ୍ରୁତ ଗତିରେ ଅନ୍ୟ ଦେଶ ସହିତ ଚୁକ୍ତିନାମା ଆରମ୍ଭ କରି ଦେଇଛି । ଦର ସ୍ଥିତ ହେବା ପରେ ଚୁକ୍ତିନାମାକୁ ଚୂଡାନ୍ତ ମଞ୍ଜୁରୀ ଦିଆଯାଉଛି । ସରକାର ଏହି ଚୁକ୍ତିନାମାକୁ ନେଇ କୌଣସି ଆନୁଷ୍ଠାନିକ ଘୋଷଣା କରି ନାହାନ୍ତି ।
ବୁଧବାର ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ସକରାର କହିଥିଲେ ଯେ, ଏଲପିଜି ଓ ଅଶୋଧିତ ତୈଳ ପାଇଁ ଅଗ୍ରୀମ ଅର୍ଡର ଦିଆଯାଇଛି । ସଂପ୍ରତି ୧୪ ଦେଶଠୁ ଆମଦାନୀ କରାଯାଉଛି ।
କେଉଁ କେଉଁ ଦେଶ ସହିତ ହୋଇଛି ଆଲୋଚନା
ରିପୋର୍ଟ ଅନୁସାରେ, ସମ୍ଭାବିତ ଯୋଗାଣ ଦେଶ ଭାବେ ଭାରତ ରୁଷ ସମେତ ଅନେକ ଦେଶ ସହିତ ଆଲୋଚନା ଚଲାଇଛି । ଏଥିରେ ପଶ୍ଚିମ ଆଫ୍ରିକା, ଆମେରିକା ଓ ଲାଟିନ ଆମେରିକା ଦେଶଗଡିକ ସହିତ ଭାରତ ଚୁକ୍ତିନାମାକୁ ଅନ୍ତିମ ରୂପ ଦେବା ଦିଗରେ କାମ କରୁଛି।
ଭାରତକୁ ମିଳିଲା ଆଶ୍ୱସ୍ତି
ନିକଟରେ ଇରାନର ବୈଦେଶିକ ମନ୍ତ୍ରୀ ଅବାସ ଅରାଘଚୀ କହିଥିଲେ ଯେ, ଆମେ ଆମର ମିତ୍ର ଦେଶ ପାଇଁ ହର୍ମୁଜ ପ୍ରଣାଳୀର ମାର୍ଗ ଖୋଲା ରଖିଛୁ । ଏହି ମାର୍ଗରେ ମିତ୍ର ଦେଶର ଜାହାଜ ସୁରକ୍ଷିତ ଯାଇ ପାରିବ । ଏଥିରେ ଭାରତର ନାଁ ମଧ୍ୟ ସାମିଲ ।