ନୂଆଦିଲ୍ଲୀ: ଯୌନ ଶୋଷଣ ମାମଲାରେ ଛନ୍ଦି ହୋଇଥିବା ଜ୍ୟୋତିମଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କୁ ଆହ୍ଲାବାଦ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି । ବୁଧବାର ହାଇକୋର୍ଟ ଯୌନ ଶୋଷଣ ମାମଲାରେ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ଏବଂ ତାଙ୍କ ଶିଷ୍ୟ ବ୍ରହ୍ମଚାରୀ ମୁକୁନ୍ଦନନ୍ଦ ଗିରିଙ୍କ ଆଗୁଆ ଜାମିନ ଆବେଦନକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ।
ଯୌନ ଉତ୍ପୀଡ଼ନ ମାମଲାରେ ପୋକ୍ସୋ ଆଇନ ଆଧାରରେ ଗିରଫଦାରୀରୁ ବଞ୍ଚିବା ପାଇଁ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ଏବଂ ତାଙ୍କ ଶିଷ୍ୟ ମୁକୁନ୍ଦନନ୍ଦ ଗିରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ବିଚାରପତି ଜିତେନ୍ଦ୍ର କୁମାର ସିହ୍ନାଙ୍କ ଖଣ୍ଡପୀଠ ଆଗୁଆ ଜାମିନ ମଞ୍ଜୁର କରିଛନ୍ତି । ଫେବ୍ରୁଆରୀ ୨୭ରେ ଆବେଦନର ଶୁଣାଣି କରି କୋର୍ଟ ରାୟ ସୁରକ୍ଷିତ ରଖିଥିଲେ । ତେବେ ବାହାରେ ଗଣମାଧ୍ୟମ ସମ୍ମୁଖରେ କୌଣସି ପ୍ରତିକ୍ରିୟା ନ ଦେବାକୁ ଅଦାଲତ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।
ଦୁଇ ଜଣ ପୀଡ଼ିତ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ, ତାଙ୍କ ଶିଷ୍ୟ ମୁକୁନ୍ଦନନ୍ଦ ଗିରି ଓ ଅନ୍ୟ ତିନି ଅଜ୍ଞାତ ବ୍ୟକ୍ତିଙ୍କ ବିରୁଦ୍ଧରେ ଯୌନ ନିର୍ଯ୍ୟାତନା ଅଭିଯୋଗ ଆଣିଥିଲେ । ପୋଲିସ ଦୁଇ ଜଣଙ୍କ ଡାକ୍ତରୀ ମାଇନା କରିସାରିଛି । ଉଭୟଙ୍କ ଭିଡ଼ିଓ ରେକର୍ଡିଂ କରାଯାଇ ବୟାନ ରେକର୍ଡ କରାଯାଇଛି । ପୋଲିସ କହିଛି ଏହା ପ୍ରାଥମିକ ପର୍ଯ୍ୟାୟ, ତେଣୁ ଏଥିରେ ଆଗୁଆ କିଛି କହିବା ଉଚିତ ନୁହେଁ । ଏବେ ମଧ୍ୟ ଫରେନସିକ୍ ପରୀକ୍ଷା ବାକି ରହିଛି ।
ସେପଟେ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ପ୍ରୟାଗରାଜ ପୋଲିସ ନିକଟରେ ଅଭିଯୋଗ ଆଣିଥିବା ଆଶୁତୋଷ ମହାରାଜଙ୍କ ସହିତ କେକ୍ କଟା ସମୟର ଫଟୋ ଜାରି କରି କହିଛନ୍ତି ଏହା ପ୍ରଶାସନର ଷଡ଼ଯନ୍ତ୍ର । ଆଶୁତୋଷ ବ୍ରହ୍ମଚାରୀ କହିଛନ୍ତି ଯେ ତାଙ୍କ ପାଖରେ ଅନେକ ଠୋସ୍ ପ୍ରମାଣ ରହିଛି । ଯାହାର ଆଧାରରେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇ ପାରିବ । ଏହାକୁ ଏକ ଧାର୍ମିକ ସଂଘର୍ଷ ନକରି ନିରପେକ୍ଷ ତଦନ୍ତ କରିବାକୁ ଦାବି କରିଛନ୍ତି ।