ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନକୁ ନେଇ ପଶ୍ଚିମବଙ୍ଗରେ ରାଜନୈତିକ ଉଷ୍ମତା ଚରମରେ ପହଞ୍ଚିଛି। ଟିଏମସି ଏବଂ ବିଜେପି ମଧ୍ୟରେ ଚାଲିଛି ଆରୋପ ପ୍ରତ୍ୟାରୋପ। ଉଭୟ ପକ୍ଷ ଶାଣିତ ସ୍ଵରରେ ପରସ୍ପର ଉପରେ କରୁଛନ୍ତି ଆକ୍ରମଣ। ଏହା ମଧରେ ମମତାଙ୍କୁ ମାତ୍ ଦେବା ପାଇଁ ବିଜେପି ଏକ ପ୍ରମୁଖ ଯୋଜନା ପ୍ରସ୍ତୁତ କରିଛି। ଏହା ଅନୁଯାୟୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମାର୍ଚ୍ଚ ୨୮ରେ ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ସରକାରଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଜାରି କରିବେ। ଶାହା ମମତା ସରକାରଙ୍କ ବିଫଳତା ବିରୁଦ୍ଧରେ କୋଲକାତାରେ ଏକ "ବ୍ଲାକ ପେପର" ଲଞ୍ଚ କରିବେ। ଏହା ପରେ ବିଜେପି ଏପ୍ରିଲ ୩ ଏବଂ ୪ରେ ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ନିର୍ବାଚନୀ ଇସ୍ତାହାର ଜାରି କରିବ।
ଏହି ଯୋଜନା ପରି ନନ୍ଦିଗ୍ରାମ ଏବଂ ଭବାନୀପୁରର ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ଜଣାଇଛନ୍ତି ଯେ, ଏଥର ଦଳ କେତେ ଆସନ ଜିତିପାରିବ। ସେ ଦାବି କରିଛନ୍ତି ଯେ ବିଜେପି ଏଥର ନିର୍ବାଚନରେ ୧୭୭ ରୁ ଅଧିକ ଆସନ ଜିତିବ। ଅଧିକାରୀ ବିଜେପି ପ୍ରାର୍ଥୀ ଚନ୍ଦ୍ରଶେଖର ମଣ୍ଡଳଙ୍କ ସମର୍ଥନରେ ଏକ ରାଲି ସମୟରେ ସେ ଏମିତି ଦୃଢୋକ୍ତି ପ୍ରକାଶ କରିଛନ୍ତି।
ଏଥର ଆମେ ୧୭୭ ରୁ ଅଧିକ ଆସନ ଜିତିବୁ
ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଏଥର ନିର୍ବାଚନରେ ଭାରତୀୟ ଜନତା ପାର୍ଟି ବିପୁଳ ସଂଖ୍ୟାଗରିଷ୍ଠତା ସହିତ ସରକାର ଗଠନ କରିବ। ଏଥର ଦଳ ୧୭୭ରୁ ଅଧିକ ଆସନ ଜିତିବ। ଗତ ବିଧାନସଭା ନିର୍ବାଚନରେ ବିଜେପିର ଲକ୍ଷ୍ୟ ୨୦୦ ରୁ ଅଧିକ ଥିଲା, କିନ୍ତୁ ଏଥର ଶୁଭେନ୍ଦୁ ୧୭୭ ରୁ ଅଧିକ ଆସନ ଉଲ୍ଲେଖ କରିବା ପରେ ରାଜନୈତିକ ମହଲରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି।
ଉଲ୍ଲେଖନୀୟ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ତାଙ୍କର ଗତ ପଶ୍ଚିମବଙ୍ଗ ଗସ୍ତ ସମୟରେ ୨୦୦ ରୁ ଅଧିକ ଆସନ ଲକ୍ଷ୍ୟ ରଖିଥିଲେ। ସେ ସିଲିଗୁଡ଼ିରେ ଏକ ସାଧାରଣ ସଭାରେ ଆସନ ସଂଖ୍ୟା ଦୃଷ୍ଟିରୁ ନୂତନ ଲକ୍ଷ୍ୟ ଘୋଷଣା କରିଥିଲେ। ଅମିତ ଶାହ ସ୍ପଷ୍ଟ କରିଥିଲେ ଯେ ୨୦୨୧ରେ ବିଜେପି ପ୍ରାୟ ୩୮% ଭୋଟ ପାଇଥିଲା। ବିଜେପିର ଲକ୍ଷ୍ୟ ହେଉଛି ଏହି ପ୍ରତିଶତକୁ ୪୬% ରୁ ୫୦% କୁ ବୃଦ୍ଧି କରିବା। ଭୋଟରେ ୮-୧୦% ବୃଦ୍ଧି ସହଜରେ ଦଳକୁ ୨୦୦ ରୁ ଅଧିକ ଆସନ ଅତିକ୍ରମ କରିବାରେ ସାହାଯ୍ୟ କରିବ। କିନ୍ତୁ ଶୁଭେନ୍ଦୁ ଭିନ୍ନ ମତ ଦେଇଛନ୍ତି।