ଭୁନେଶ୍ୱର: ଗ୍ୟାସ ସଙ୍କଟକୁ ଦୃଷ୍ଟିରେ ରଖି ରାଜ୍ୟ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ସହରାଞ୍ଚଳରେ ଭୂତ୍ତଳ ଗ୍ୟାସ୍ ପ୍ରକଳ୍ପକୁ ସରଳୀକୃତ କରାଯାଇଛି । ପାଇପ୍ଡ୍ ନେଚୁରାଲ୍ ଗ୍ୟାସ୍ (ପିଏନ୍ଜି) ଅନୁମୋଦନ ପ୍ରକ୍ରିୟାକୁ ସରକାର ସରଳୀକୃତ କରିଛନ୍ତି । ବିଭାଗୀୟ ଅତିରିକ୍ତ ସଚିବ ଶ୍ରୀମତି ଉଷା ପାଢ଼ୀ ନିର୍ଦ୍ଦେଶନାମା ଜାରି କରିଛନ୍ତି ।
ବିଭାଗର ନିଷ୍ପତ୍ତି ଅନୁଯାୟୀ, ସହରାଞ୍ଚଳରେ ଭୂତଳ ପାଇପଲାଇନ୍ ବିଛାଇବା ଓ ଅନ୍ୟାନ୍ୟ ସିଜିଡି ଭିତ୍ତିଭୂମି ନିର୍ମାଣ ପାଇଁ କୌଣସି ଅନୁମତି ଶୁଳ୍କ ଆଦାୟ କରାଯିବ ନାହିଁ । ସ୍ଥାନୀୟ ସଂସ୍ଥା ବା ୟୁଏଲବିଗୁଡ଼ିକ କୌଣସି ଅନୁମତି ଶୁଳ୍କ ଆଦାୟ କରିବେ ନାହିଁ । ଏଥିସହିତ ଚାଲୁ ରହିଥିବା କିମ୍ବା ପୂର୍ବରୁ ମଞ୍ଜୁରପ୍ରାପ୍ତ କାର୍ଯ୍ୟ ପାଇଁ କୌଣସି ଅନୁମତିର ଆବଶ୍ୟକତା ରହିବ ନାହିଁ । ଏହାଦ୍ୱାରା ପ୍ରଶାସନିକ ବିଳମ୍ବ ଦୂର ହେବ ଓ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ ହେବ । ଯେଉଁ ଆବେଦନ ଗୁଡ଼ିକ ଆସିଛି ତାହାର ତୁରନ୍ତ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସେହିପରି ସିଜିଡି କାମକୁ ଆହୁରି ତ୍ୱରାନ୍ୱିତ କରିବାକୁ ରାସ୍ତା ଖୋଳିବା ନିୟମ କଟକଣାକୁ କୋହଳ କରାଯାଇଛି । ସିଜିଡି ସଂସ୍ଥାଗୁଡ଼ିକ ନିଜ ଖର୍ଚ୍ଚରେ ଏବଂ ନିର୍ଦ୍ଧାରିତ ମାନଦଣ୍ଡ ଅନୁଯାୟୀ ରାସ୍ତା ଓ ଅନ୍ୟାନ୍ୟ ଭିତ୍ତିଭୂମିର ପୁନରୁଦ୍ଧାର କରିବାକୁ ବାଧ୍ୟ । ରାଜ୍ୟରେ ସିଜିଡି ସମ୍ପର୍କିତ କାର୍ଯ୍ୟର ସମନ୍ୱୟ ଏବଂ ଅନୁଧ୍ୟାନ ପାଇଁ ପୌର ପ୍ରଶାସନ ନିର୍ଦ୍ଦେଶକଙ୍କୁ ନୋଡାଲ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି। ସେହିପରି ଏଥିରେ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ଏଥିସହିତ ଜଡ଼ିତ ପୂର୍ତ୍ତ ବିଭାଗ, ଜଳସମ୍ପଦ, ଶକ୍ତି ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗକୁ ପରାମର୍ଶ ଦିଆଯାଇଛି । ଏହି ସମସ୍ତ ଆଦେଶ ଜୁନ୍ ୩୦ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ ।