ଭୁବନେଶ୍ୱର: ରାଜ୍ୟରେ ପ୍ରତିଦିନ ସଡ଼କ ଦୁର୍ଘଟଣାରେ ହାରାହାରି ୧୮ ଜଣଙ୍କର ମୃତ୍ୟୁ ହେଉଛି । ଏହା ସହିତ ୩୦ ଜଣ ଆହତ ହେଉଛନ୍ତି । ଆଜି ଗୃହରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ଉପସ୍ଥାପନ କରିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ।
ଝାରସୁଗୁଡ଼ା ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ । ଆଇଆଇଟି, ମାଡ୍ରାସ ସହିତ ରାଜିନାମା ପରେ କେତେ ଦୁର୍ଘଟଣା ହେଉଛି ବିଧାୟକ ତାହା ଜାଣିବାକୁ ଚାହିଁଛନ୍ତି । ରାଜ୍ୟ ସରକାର ଲୋକଙ୍କ ମଧ୍ୟରେ ସଡକ ଦୁର୍ଘଟଣା ବିଷୟରେ ସଚେତନତା ସୃଷ୍ଟି କରିବା ନିମନ୍ତେ ସରକାରଙ୍କୁ ସହଯୋଗ କରିବା ପାଇଁ ଆଇଆଇଟି, ମାଡ୍ରାସ ସହିତ ୨୩ ଡିସେମ୍ବର, ୨୦୨୪ ରେ ରାଜିନାମା ସ୍ୱାକ୍ଷର କରିଥିଲେ । ଏହି ରାଜିନାମା ଅନୁଯାୟୀ, ଉକ୍ତ ସଂସ୍ଥାକୁ ବିଭିନ୍ନ ପର୍ୟ୍ୟାୟରେ ଅର୍ଥ ପ୍ରଦାନ କରାଯାଏ । ଅଦ୍ୟାବଧି ଆଇଆଇଟିକୁ ସରକାର ୪ କୋଟି ୫୨ ଲକ୍ଷ ୭୪ ହଜାର ୬୯୭ ଟଙ୍କା ପ୍ରଦାନ କରିଛନ୍ତି । ତେବେ ରାଜ୍ୟ କ୍ରାଇମ ବ୍ରାଞ୍ଚର ତଥ୍ୟ ଅନୁଯାୟୀ ଆଇଆଇଟି, ମାଡ୍ରାସ ସହିତ ରାଜିନାମା ସମୟରେ ଅର୍ଥାତ ୨୦୨୪ ମସିହାରେ ରାଜ୍ୟରେ ଦୈନିକ ହାରାହାରି ସଡକ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ୧୭ ଥିଲା ଏବଂ ଆହତ ସଂଖ୍ୟା ୩୦ ଥିଲା । ୨୦୨୫ ମସିହା ସଡକ ଦୁର୍ଘଟଣା ତଥ୍ୟ ଅନୁଯାୟୀ ରାଜ୍ୟରେ ଦୈନିକ ହାରାହାରି ସଡକ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ୧୮ ଏବଂ ଆହତ ସଂଖ୍ୟା ୩୦ ରହିଛି ।