ଭୁବନେଶ୍ୱର: ପବିତ୍ର ଅଶୋକାଷ୍ଟମୀ ଅବସରରେ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହେଉଛି । ଏହି ସମୟରେ ଏକ ଅଘଟଣ ଘଟିଯାଇଛି । ରଥରୁ ଖସି ପଡ଼ି ଭୋଇ ସେବାୟତ ଆହତ ହୋଇଛନ୍ତି । ସେବାୟତ ଜଣକ ହେଲେ ଜଟିଆ ଭୋଇ । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ରୁକୁଣା ରଥ ଯାତ୍ରା ପାଇଁ ଚାରମାଳ ବନ୍ଧାୋ ଯାଉଥିବାବେଳେ ଜଣେ ଭୋଇ ସେବାୟତ ହଠାତ୍ ରଥରୁ ତଳକୁ ଖସି ପଡ଼ିଥିଲେ । ଫଳରେ ତାଙ୍କ ମୁଣ୍ଡ ଏବଂ ଗୋଡ଼ରେ ଆଘାତ ଲାଗିଥିଲା । ତାଙ୍କୁ ତରନ୍ତ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସେ ବର୍ତ୍ତମାନ ବିପଦମୁକ୍ତ ଅଛନ୍ତି । ଖବର ପାଇ ଲିଙ୍ଗରାଜ ଥାନା ପୋଲିସ ଅଘଟଣ ବାବଦରେ ଅନ୍ୟ ସେବାୟତଙ୍କୁ ପଚରାଉଚରା କରିଛି । ଅସାବଧାନତା ଯୋଗୁଁ ସେ ରଥରୁ ଖସିପଡ଼ିଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି ।
ଦିନ ୧୦ଟା ୪୫ରୁ ମହାପ୍ରଭୁ ଲିଙ୍ଗରାଜଙ୍କର ପହଣ୍ଡି ହୋଇଥିଲା । ଅପରାହ୍ନ ସାଢେ ୨ଟା ସୁଧା ଚାରମାଳ ଫିଟା ଯାଇ ଘୋଡ଼ା ବନ୍ଧା ହେବ । ଏହା ପରେ ରଥଟଣା ଆରମ୍ଭ ହେବ । ସନ୍ଧ୍ୟା ସାଢେ ୬ଟାରେ ରାମେଶ୍ଵରରେ ଲାଗିବ ରଥ। ରଥ ଯାତ୍ରା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ୨ ଜଣ ଡିସିପି ଓ ୩ ଜଣ ଅତିରିକ୍ତ ଡିସିପିଙ୍କ ସମେତ ୧୬ ପ୍ଲାଟୁନ ଫୋର୍ସ, ୧୩ ଜଣ ଇନ୍ସପେକ୍ଟର, ୩୦ ଜଣ ମହିଳା କନଷ୍ଟେବଲ, ୧୫ ଜଣ ଏସ୍ଆଇ ଓ ଏଏସ୍ଆଇ ସୁରକ୍ଷା ଦାୟିତ୍ଵରେ ନିଯୁକ୍ତ ହୋଇଛନ୍ତି ।